ଓଡିଶା

odisha

ETV Bharat / state

ଜାଗର ପାଇଁ ଚଳଚଞ୍ଚଳ ରାଜଧାନୀ, ଜନସମୁଦ୍ର ପାଲଟିଛି ଲିଙ୍ଗରାଜ ମନ୍ଦିର - ପବିତ୍ର ମହାଶିବରାତ୍ରୀ

ପବିତ୍ର ମହାଶିବରାତ୍ରୀ ଅବସରରେ ଜନସମୁଦ୍ର ପାଲଟିଛି ଲିଙ୍ଗରାଜ ମନ୍ଦିର । ବିନା କଟକଣାରେ ମହାପ୍ରଭୁଙ୍କୁ ଦର୍ଶନ କରି ଭାବବିହ୍ୱଳ ହୋଇଛନ୍ତି ଭକ୍ତ । ଅଧିକ ପଢ଼ନ୍ତୁ

ଲିଙ୍ଗରାଜଙ୍କ ମନ୍ଦିରରେ ଜାଗର ଯାତ୍ରା
devotees offer prayer to lord shiva at lingaraj temple

By

Published : Feb 18, 2023, 7:37 PM IST

ଜାଗର ପାଇଁ ଚଳଚଞ୍ଚଳ ରାଜଧାନୀ

ଭୁବନେଶ୍ବର: ଆଜି ପବିତ୍ର ମହାଶିବରାତ୍ରି । ଏନେଇ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ସମସ୍ତ ଶୈବ ପୀଠ । ମହାଶିବରାତ୍ରି ପାଇଁ ଉତ୍ସବ ମୁଖର ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର । ଆଜି ଭଳି ପବିତ୍ର ଦିନରେ ପ୍ରଭୁଙ୍କ ଝଲକ ପାଇବା ପାଇଁ ସକାଳୁ ଭକ୍ତଙ୍କ ଭିଡ଼ ଲାଗିଛି । ରାତି ୧୨ରୁ ଆସି ଧାଡିରେ ଘଣ୍ଟା ଘଣ୍ଟା ଛିଡା ହୋଇ ମହାଦେବଙ୍କ ଦର୍ଶନ କରିଛନ୍ତି । ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତମାନେ ଆସି ଧାଡିବାନ୍ଧି ଶୃଙ୍ଖଳିତ ଦର୍ଶନ କରୁଛନ୍ତି । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ଦୀର୍ଘ ଦୁଇ ବର୍ଷ ପରେ ବିନା କଟକଣାରେ ମହାପ୍ରଭୁଙ୍କୁ ଦର୍ଶନ କରି ଭକ୍ତଗଣ ଉତ୍ସାହିତ ଅଛନ୍ତି ।

ମହାଶିବରାତ୍ରୀ ଅବସରରେ ଲିଙ୍ଗରାଜ ମନ୍ଦିର ପରିସରକୁ ସୁନ୍ଦର ଭାବେ ଫୁଲରେ ସଜାଯାଇଛି । ଅନ୍ୟପଟେ ସେବାୟତଙ୍କ ପକ୍ଷରୁ ଲିଙ୍ଗରାଜଙ୍କ ନିତୀକାନ୍ତି ଜାରି ରହିଛି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ୩୨ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା ହୋଇଛି । ୪ଟି ସିଫ୍ଟରେ ଡ୍ୟୁଟି କରୁଛନ୍ତି ପୋଲିସ । ୫ ଜଣ ଆଡସିନାଲ ଏସପି, ୧୧ ଜଣ ଏସିପି, ୧୯ ଜଣ ଆଇଆଇସି, ୮୦ ଜଣ ଏଏସଆଇ, ୧୧୦ ହୋମଗାର୍ଡ ନିୟୋଜିତ ହୋଇଛନ୍ତି । ପ୍ରମୁଖ ଶୈବପୀଠ ମଧ୍ୟରୁ ଲିଙ୍ଗରାଜ ମନ୍ଦିର ଅନନ୍ଯ ହୋଇଥିବା ବେଳେ ଏଠାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ଚଳିତ ଥର ଶ୍ରଦ୍ଧାଳୁଙ୍କ ସମାଗମ ଅଧିକ ଥିବାରୁ ଜନ ସମୁଦ୍ର ହୋଇଛି ଲିଙ୍ଗରାଜ ପରିସର ।

ଏହି ଅବସରରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ଜଟଣୀ ବିଧାୟକ ଆସି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଆଶିଷ ଲାଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଦେଶ ତଥା ରାଜ୍ୟର ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି । ସମସ୍ତଙ୍କୁ ଜାଗରର ଶୁଭକାମନା ଦେଇଥିବା ବେଳେ ଜନସାଧାରଙ୍କ ସୁସ୍ଥ ଜୀବନ କାମନା କରିଛନ୍ତି । ଅନ୍ୟପଟେ ଲିଙ୍ଗରାଜ ମନ୍ଦିରରେ ଆଜି ରାତି 10ଟାରେ ମହାଦୀପ ଉଠିବ । ଜାଗର ବ୍ରତଧାରୀମାନେ ଉପବାସ କରିବା ସହ ମନ୍ଦିରରେ ରାତିସାରା ବସି ଦୀପ ଜାଳିବେ। ତେଣୁ ଏବେଠୁ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଲାଣି । ଜାଗରରେ ଶ୍ରଦ୍ଧାଳୁମାନେ ମହାଦେବ ଶିବଙ୍କ ପ୍ରିୟ କିଆ ଓ କେତକୀ ଫୁଲ ଲାଗି କରିବାର ପରମ୍ପରା ରହି ଆସିଛି । ତେଣୁ ଆଜି କିଆ ଓ କେତକୀ ଫୁଲ ସହ ଧୂପ ଦୀପ ନୈବେଦ୍ୟ ଦେଇ ପ୍ରଭୁଙ୍କ ଆରଧନା କରିଛନ୍ତି ଭକ୍ତ । କେତକୀର ସ୍ଵତନ୍ତ୍ରତାକୁ ନେଇ ଫୁଲ ଗୋଟାକୁ ୨୦୦ ରୁ ୫୦୦ ଟଙ୍କାରେ ବିକ୍ରି କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details