ଭୁବନେଶ୍ବର:ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରାକୁ ନେଇ ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ । ଏହି ପବିତ୍ର ଦିନରେ ମବାଦେବଙ୍କ ଦର୍ଶନ ପାଇଁ ଲିଙ୍ଗରାଜ ମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଏହାରି ଭିତରେ ମନ୍ଦିର ପରିସରରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ । ମନ୍ଦିର ବେଢାରେ ଜଣେ ଶ୍ରଦ୍ଧାଳୁ ଶିବଙ୍କ ବେଶ ଧାରଣ କରି ଡମ୍ବରୁ ଓ ତ୍ରିଶୂଳ ହାତରେ ଧରି ବାହନ ନନ୍ଦୀଙ୍କୁ ଖୋଜୁଛନ୍ତି । ହାତରେ ଏକ ପ୍ଲାକାର୍ଡ ସାହାଯ୍ୟରେ 'ନନ୍ଦି କୁଆଡେ ଗଲା' ବୋଲି ଲେଖି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ।
ନନ୍ଦି ହେଉଛନ୍ତି ମହାଦେବଙ୍କ ବାହାନ ଓ ବଡ ଉପାସକ । ସେ ସବୁବେଳେ ଶିବଙ୍କ ସହ ଛାଇ ପରି ରହି ତାଙ୍କର ଆରାଧନା କରିଥାନ୍ତି । ଧରାପୃଷ୍ଠରେ ଏହି ନନ୍ଦି ହେଉଛି ଷଣ୍ଢ । ତେବେ ନନ୍ଦୀ ମହାଦେବଙ୍କ ପରମ ସାଧକ ବା ତାଙ୍କ ବାହନ ହୋଇଥିବାରୁ ସର୍ବଦା ସେ ତାଙ୍କ ସାଥିରେ ଥାଏ । ତେଣୁୁ ପ୍ରତିଟି ଶୈବପୀଠରେ ମହାଦେବଙ୍କ ସମ୍ମୁଖରେ ନନ୍ଦୀ ବସିଥିବାର ଦେଖୁବାକୁ ମିଳେ । ଏକାମ୍ର କ୍ଷେତ୍ର ବା ଲିଙ୍ଗରାଜଙ୍କ ମନ୍ଦିର ପାଖରେ ମଧ୍ୟ ସବୁବେଳେ ଷଣ୍ଢ ରହିଥାନ୍ତି । ହେଲେ ବୁଲା ଷଣ୍ଢଙ୍କର ପ୍ରାଦୁର୍ଭାବ ନେଇ ବିଏମସି ସେମାନଙ୍କୁ ଉଠାଇ ନେଇ ଗୋଶାଳାରେ ରଖିଛି । ଫଳରେ ଏକାମ୍ର କ୍ଷେତ୍ରରେ ଷଣ୍ଢ ଦେଖିବାକୁ ମିଳୁନାହାନ୍ତି ।