ହାଇଦ୍ରାବାଦ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President Droupadi Murmu )ଙ୍କ ଚେହେରା ଉପରେ ମନ୍ତବ୍ୟ ଦେଇଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Chief Minister Mamata Banerjee )ଙ୍କ ମନ୍ତ୍ରୀ ଅଖିଳ ଗିରି (TMC minister Akhil Giri)ଙ୍କ ବଢୁଛି ଅଡୁଆ । ସାରା ଦେଶରେ ଗିରିଙ୍କ ମନ୍ତବ୍ୟକୁ ନେଇ କଡା ସମାଲୋଚନା ଜାରି ରହିଛି । ଜାତୀୟ ମହିଳା କମିଶନ ମଧ୍ୟ ନୋଟିସ ଜାରି କରିଛନ୍ତି । ମନ୍ତ୍ରୀ ଗିରି ଓ ତୃଣମୂଳ କଂଗ୍ରେସ କ୍ଷମା ମାଗିଥିଲେ ମଧ୍ୟ ଅସମ୍ମାନ ଝଡ ଥମିନାହିଁ । ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର ସହ ଗିରଫ କରିବା କରିବା ପାଇଁ ସାରା ଦେଶରେ ଦାବି ଜୋର ହୋଇଛି ।
ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଧିଷ୍ଠିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅସମ୍ମାନ କରି ଦଳୀୟ ମନ୍ତ୍ରୀ ଫସିବା ପରେ, ସାରା ଦେଶର ଚାପ ଦେଖି ଟିଏମି ମଧ୍ୟ କ୍ଷମା ମାଗିଛି । ଦଳ ପକ୍ଷରୁ ଟ୍ବିଟ କରି ଟିଏମସି କହିଛି, ଦଳ ଏହାକୁ ସମର୍ଥନ କରେ ନାହିଁ । ରାଷ୍ଟ୍ରପତିଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଛି । ମହିଳା ସଶକ୍ତିକରଣ ଯୁଗରେ ଏଭଳି ମନ୍ତବ୍ୟ ଗ୍ରହଣୀୟ ନୁହେଁ । ମନ୍ତ୍ରୀ ଅଖିଳ ଗିରି ମଧ୍ୟ କ୍ଷମା ମାଗି, ଶୁଭେନ୍ଦୁ ଅଧିକାରୀଙ୍କୁ ଜବାବ ଦେବାକୁ ଯାଇ ଭୁଲରେ ଏପରି କହିଥିବା କହିଛନ୍ତି ।
ଏହାବି ପଢନ୍ତୁ- ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗ, କ୍ୟାପିଟାଲ ଥାନାରେ ଏତଲା
ଗତକାଲି ନନ୍ଦିଗ୍ରାମରେ ମନ୍ତ୍ରୀ ଅଖିଳ ଗିରି ଦଳୀୟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଥିଲେ, ‘‘ଆମେ ଚେହେରା ଆଧାରରେ କାହାକୁ ବିଚାର କରୁନାହିଁ । ଆମେ ରାଷ୍ଟ୍ରପତିଙ୍କ ପଦବୀକୁ ସମ୍ମାନ କରୁ । ହେଲେ ଆମ ରାଷ୍ଟ୍ରପତି କେମିତି ଦେଖାଯାଆନ୍ତି ।"
ଏପରି କହି ମନ୍ତ୍ରୀ ରାଷ୍ଟ୍ରପତି ଚେହେରାକୁ ନେଇ ଟିପ୍ପଣୀ କରିଥିଲେ । ମନ୍ତ୍ରୀଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ପଶ୍ଚିମବଙ୍ଗ ବିଜେପି ପୁରା ଖଡ୍ଗହସ୍ତ ହୋଇପଡିଥିଲା । ମନ୍ତ୍ରୀଙ୍କ ବିରୋଧରେ ନାରାବାଜୀ ସହ, ଏତଲା ଦେଇଥିଲା । ଏପରିକି ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରି ଗିରଫ କରିବାକୁ ଦାବି କରିଥିଲା । ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ମଧ୍ୟ ରାଜ୍ୟପାଳ ଚିଠି ଲେଖି ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।