ଭୁବନେଶ୍ବର:ରାଜ୍ୟ ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗର ବଜେଟ ୨୦୨୩-୨୪କୁ ନେଇ ସାମ୍ବାଦିକ ସମ୍ମିଳନୀ । ବିକାଶଶୀଳ ସହରାଞ୍ଚଳରେ ନିର୍ମାଣରେ ବସ୍ତି ବାସିନ୍ଦାଙ୍କ ଭୂମିକାକୁ ସ୍ବୀକୃତି ଦେବା ପାଇଁ ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଆହୁରି ଲକ୍ଷେ ପରିବାର ଜାଗା ମିଶନ ଯୋଜନାରେ ସୁବିଧା ପାଇବେ ।
ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନରେ ଏପର୍ଯ୍ୟନ୍ତ ୧.୭୩ ଲକ୍ଷ ବସ୍ତି ବାସିନ୍ଦା ପରିବାର ଭୂମି ଅଧିକାର ପ୍ରମାଣପତ୍ର ପାଇ ସାରିଛନ୍ତି । ବସ୍ତି ବାସିନ୍ଦାଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ପାଇଁ ୭୨୫ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ରୂପାନ୍ତରିତ କରାଯାଇ ସୁଦ୍ଧ ପାନୀୟ ଜଳ ଶୌଚାଳୟ, ରାସ୍ତା ଆଲୋକୀକରଣ, ପକ୍କା ରାସ୍ତା, ଡ୍ରେନେଜ ବ୍ୟବସ୍ଥା କରାଯାଇଛି । ଗଙ୍ଗୁଆ ଓ ଦୟା ନାଳ ଉନ୍ନତୀକରଣ ପାଇଁ ଖୁବଶୀଘ୍ର ସ୍ବତନ୍ତ୍ର ଅର୍ଥ ପାଣ୍ଠି ଖର୍ଚ୍ଚ ହେବ ।
୨୦୨୩ ଶେଷ ସୁଦ୍ଧା ସାରା ରାଜ୍ୟରେ ୧୦୦ %ଘରକୁ ଟ୍ୟାପ ସଂଯୋଗୀକରଣ ଶେଷ ହେବ । ପ୍ରତି ଘରେ ଟ୍ୟାପ୍ ୱାଟର ପହଞ୍ଚାଇବା ପାଇଁ ଏଯାବତ କଟକ, ଭୁବନେଶ୍ବର, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ମହାନଗର ସମେତ ୮୫ଟି ସହରରେ ଟ୍ୟାପ ସଂଯୋଗ କରାଯାଇଛି । ମୁକ୍ତା ଯୋଜନାରେ ୨୦୨୩-୨୪ ବଜେଟରେ ୪୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଏଥିରେ ୧.୬୦ ଲକ୍ଷ ଗୋଷ୍ଠୀ ସହଭାଗୀ ଯଥା ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ବସ୍ତି ବାସିନ୍ଦା ସଙ୍ଘ ସମୂହ ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ କରି ପ୍ରୋତ୍ସାହନ ଅର୍ଥ ରାଶି ପାଇଛନ୍ତି । ଏପର୍ଯ୍ୟନ୍ତ ୨୬ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇଛି ।