ଭୁବନେଶ୍ବର: ପ୍ରଥମ ଥର ପାଇଁ ରେଳ ଲାଇନ ସହ ଯୋଡ଼ି ହେବାକୁ ଯାଉଛି ଦେବଗଡ଼ ଜିଲ୍ଲା । ଝାରସୁଗୁଡ଼ାରୁ ବାରକୋଟ ପର୍ଯ୍ୟନ୍ତ ନୂଆ ରେଳଲାଇନ ପାଇଁ ଡପିଆର ପ୍ରସ୍ତୁତିକୁ ମଞ୍ଜୁରୀ ଦିଆଯାଇଛି । ୧୬୦ କିମି ରେଳ ଲାଇନ ପାଇଁ ଡିପିଆର ପ୍ରସ୍ତୁତିକୁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଦେବଗଡ଼ ଜିଲ୍ଲାକୁ ହେବ ରେଳ ସଂଯୋଗ ଏହା ମଧ୍ୟ ପଢ଼ନ୍ତୁ:ଠକାମିର ନୂଆ ଫର୍ମୁଲା, ନକଲି TTE ସାଜି ଯାତ୍ରୀଙ୍କଠୁ ଲୁଟ୍
ଓଡ଼ିଶାରେ ରେଳ ଗମନାଗମନକୁ ଅଧିକ ସୁଦୃଢ କରିବା ପାଇଁ ଝାରସୁଗୁଡ଼ାରୁ ବାରକୋଟ ପର୍ଯ୍ୟନ୍ତ ନୂଆ ରେଳ ଲାଇନ ତିଆରି ହେବ । ଏଥିପାଇଁ ଆନୁଷଙ୍ଗିକ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି ଯେ, ୧୬୦ କିମି ବିଶିଷ୍ଟ ବାରକୋଟ ଏବଂ ଝାରସୁଗୁଡା ରେଳ ଲାଇନ ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ଫାଇନାଲ ଲୋକେସନ ସର୍ଭେ(ଏଫଏଲଏସ) କରିବା ପାଇଁ ରେଳ ମନ୍ତ୍ରଣାଳୟ ମଞ୍ଜୁର କରିଛି । ନୂଆ ରେଳ ଲାଇନ ଶିଳ୍ପ ସମୃଦ୍ଧ ଅଞ୍ଚଳ ଝାରସୁଗୁଡ଼ା ଠାରୁ ଦେବଗଡ଼ ଜିଲ୍ଲାର ବାରକୋଟ ସହ ସଂଯୋଗ କରିବ । ଏହି ପଦକ୍ଷେପ ଦ୍ୱାରା ଦେବଗଡ଼ ଜିଲ୍ଲା ପ୍ରଥମ ଥର ପାଇଁ ରେଳ ଲାଇନ ସହ ସଂଯୋଗ କରିବାକୁ ଯାଉଛି, ଯାହା ଖୁସିର ବିଷୟ ।
ଏହା ମଧ୍ୟ ପଢ଼ନ୍ତୁ:ବଲାଙ୍ଗୀରରେ ପାଦେ ଆଗେଇଲା ରେଳ ସେବା, ଝାରତରଭାଠୁ ଖମ୍ବେଶ୍ବରୀପାଲିକୁ ଟ୍ରେନ ଟ୍ରାଏଲ ସଫଳ
ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ କଳ୍ପନାରେ ମୋଦି ସରକାର ଓଡ଼ିଶାକୁ ସବୁ କ୍ଷେତ୍ରରେ ପ୍ରାଥମିକତା ଦେଇ ଆସୁଛନ୍ତି । ଏହି ରେଳ ଲାଇନ କାର୍ଯ୍ୟକ୍ଷମ ହେଲେ ଝାରସୁଗୁଡା ଏବଂ ଦେବଗଡ଼ ଜିଲ୍ଲାରେ ବିକାଶର ନୂଆ ଧାରା ସୃଷ୍ଟି ହେବ । ଏହି ଅଞ୍ଚଳ ରେଳ ଭିତ୍ତିଭୂମି ସହ ସଠିକ ଭାବରେ ଯୋଡ଼ିହେଲେ ଚାଷୀ ଭାଇମାନେ ଉପକୃତ ହେବା ସହ ଆର୍ଥିକ ଅଭିବୃଦ୍ଧି ଘଟିବ । ଦେବଗଡ଼ ଜିଲ୍ଲାରେ ପର୍ଯ୍ୟଟନର ବିକାଶକୁ ମଧ୍ୟ ଗତି ମିଳିବ । ବିଶେଷ ଭାବରେ ଦେବଗଡ଼ବାସୀଙ୍କ ଦୀର୍ଘ ଦିନର ଅପେକ୍ଷାକୁ ପୂରଣ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ପୁନର୍ବାର କୃତଜ୍ଞତା ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଗତ ଜୁଲାଇ ୧୦ ତାରିଖରେ ଦେବଗଡ ଜିଲ୍ଲାର ନାଗରିକ କମିଟିର ଅନୁରୋଧ କ୍ରମେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏ ସମ୍ପର୍କରେ ଚିଠି ଲେଖିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର