ଭୁବନେଶ୍ବର:ବଢୁଛି ହସ୍ପିଟାଲ ଉପରେ ରୋଗୀଙ୍କ ଚାପ । ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ବେଡ୍ ସଂଖ୍ୟା ବଢାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ବେଡ୍ ବଢାଇବା ସଙ୍ଗେସଙ୍ଗେ ଟେଷ୍ଟିଂକୁ ମଧ୍ୟ ବଢାଇବା ପାଇଁ ନିଷ୍ପତି ନିଆଯାଇଛି । ରାଜ୍ୟରେ ୧୮ ତାରିଖ ସୁଦ୍ଧା ୩୫ ହଜାର ୫୯୫ ରକ୍ତ ନମୁନା ପରୀକ୍ଷଣ ହୋଇଥିବାବେଳେ ୨ ହଜାର ୨୯୪ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ପୂର୍ବ ବର୍ଷ ଏହି ଅବଧି ମଧ୍ୟରେ ୧୮ ହଜାର ୪୩୬ ରକ୍ତ ନମୁନା ପରୀକ୍ଷଣ କରାଯାଇଥିବ ବେଳେ ୧ ହଜାର ୫୭୭ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
ତେବେ ଚଳିତ ବର୍ଷ ୭୧୭ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୧ହଜାର ୧୬୭ ଜଣ ଡେଙ୍ଗୁ ରୋଗୀ ରହିଛନ୍ତି । ସେହିପରି ବାଲେଶ୍ୱର ଜିଲ୍ଲାରେ ୧୯୩, ପୁରୀରେ ୨୦୧, କଟକରେ ୧୪୫, ଜଗତସିଂହପୁରରେ ୧୧୬ ଓ ନୟାଗଡରେ ୭୭ଜଣ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତେବେ ରାଜ୍ୟର ୧୦ଟି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଉପରକୁ ରହିଥିବାବେଳେ ଆଉ ୧୩ ଜିଲ୍ଲାରେ ୨୦ ତଳକୁ ପଜିଟିଭ କେସ୍ ରହିଛି । ସେହିପରି କୌଣସି ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇନଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ରୋଗୀ ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ହୋଇଥିବା ଜଣାପଡିଛି । ଏନେଇ ଶନିବାର ଜନସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର, ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଶୁଭାଶିଷ ମହାନ୍ତି, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ଓ ହସ୍ପିଟାଲର ଉପ-ଅଧୀକ୍ଷକ ଡାକ୍ତର ଧନଞ୍ଜୟ ଦାସ ହସ୍ପିଟାଲର ଡେଙ୍ଗୁ ୱାର୍ଡ ପରିଦର୍ଶନ କରିବା ସହ ରୋଗୀଙ୍କର ଚିକିତ୍ସା ଓ ଖାଦ୍ୟର ମାନ ନିରୀକ୍ଷଣ କରିଛନ୍ତି । ଏହାସହ ରୋଗୀଙ୍କର ବିଭିନ୍ନ ସମସ୍ୟା ସମାଧନ କରିବା ସହିତ କାର୍ଯ୍ୟରତ ଡାକ୍ତରଙ୍କ ସହ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଡେଙ୍ଗୁ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଆଲୋଚନା କରିଛନ୍ତି ।