ଖୋର୍ଦ୍ଧା: ବାଲୁଗାଁ ବିଜ୍ଞାପିତ ପରିଷଦରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଠିକା ସଫେଇ କର୍ମଚାରୀମାନେ ସେମାନଙ୍କ ପ୍ରାପ୍ୟ ଦାବି କରିବାରୁ ପରିଷଦର ଜନୈକ କର୍ମଚାରୀ ଠିକାସଂସ୍ଥା ଉପରେ ଚାପ ପକାଇ ସଫେଇ କର୍ମଚାରୀଙ୍କ କାର୍ଯ୍ୟରୁ ଛଟେଇ କରିଥିବା ଅଭିଯୋଗ ହୋଇଛି ତେଣୁ ସେମାନଙ୍କୁ ପୁନଃ ନିଯୁକ୍ତ ଦାବିରେ ଆଜି ସଫେଇ କର୍ମଚାରୀମାନେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ଅଭିଯୋଗ ଅନୁସାରେ, ବାଲୁଗାଁ ବିଜ୍ଞପିତ ପରିଷଦର ୩୦ଜଣ ଚୁକ୍ତିଭିତ୍ତିକ ଠିକା କର୍ମଚାରୀମାନେ ଦୀର୍ଘ ଦିନରୁ ସଫେଇ କର୍ମଚାରୀଭାବେ କାର୍ଯ୍ୟ କରୁଛନ୍ତି ।
ଠିକା ସଂସ୍ଥା କର୍ମଚାରୀଙ୍କୁ ଦି-ଓଳି କାର୍ଯ୍ୟ କରାଉଥିଲେ । ମାସକୁ ୩୦ ଦିନ କାର୍ଯ୍ୟ କରୁଥିବାବେଳେ ୨୬ ଦିନର ପ୍ରାପ୍ୟ କର୍ମଚାରୀଙ୍କୁ ଦେଉଥିଲେ ତାହା ପୁଣି ଦୈନିକ ୩ଶହ ଟଙ୍କା ମଜୁରୀ ଜାଗାରେ ୨ଶହ ଟଙ୍କା ପ୍ରଦାନ କରାଯାଉଥିଲା। ତେଣୁ, ସେମାନଙ୍କୁ ତାଙ୍କ ପ୍ରାପ୍ୟ ଠିକଭାବେ ପ୍ରଦାନ କରିବା ପାଇଁ ୭ଦଫା ସମ୍ବଳିତ ଏକ ଦାବିପତ୍ର ଗତ ଏପ୍ରିଲ ୭ ତାରିଖରେ କର୍ମଚାରୀମାନେ ଜିଲ୍ଲାପାଳଙ୍କୁ ଦେଇଥିଲେ । ଜିଲ୍ଲାପାଳଙ୍କୁ ଏସମ୍ପର୍କରେ କାହିଁକି ଅଭିଯୋଗ କଲ ବୋଲି ବିଜ୍ଞାପିତ ପରିଷଦର କର୍ମଚାରୀ ଅନୁପ ପଟ୍ଟନାୟକ ପ୍ରଶ୍ନ ପଚାରିଥିଲେ । ଏଥିସହିତ ସେମାନଙ୍କୁ ଜାତିଆଣ ଅକ୍ଷେପ କରି ବିଭିନ୍ନ ଅଶ୍ଳୀଳ ଭାଷାରେ ଗଳିମନ୍ଦ କରିବା ସହ ଚାକିରୀରୁ ଛଟେଇ କରିବାକୁ ଧମକ ଦେଇଥିଲେ ବୋଲି ବଲୁଗାଁ ସଫେଇ କର୍ମଚାରୀ ସଂଘର ସଭାପତି ସାବିତ୍ରୀ ନାଏକ ଅଭିଯୋଗ କରିଛନ୍ତି ।