ଭୁବନେଶ୍ୱର: ଦୟା ୱେଷ୍ଟ କେନାଲ ସଂଲଗ୍ନ ରାସ୍ତାର ହେବ ଉନ୍ନତିକରଣ । ୪୫ ମିଟର ଚଉଡାରେ ୬ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ହେବ । ଫଳରେ କଟକ ଓ ଜଟଣୀ ମଧ୍ୟରେ ସିଧାସଳଖ ଯୋଗାଯୋଗ ସମ୍ଭବ ହେବ । ଏନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଦୟା ୱେଷ୍ଟ କେନାଲ ସଂଲଗ୍ନ ରାସ୍ତାର ଉନ୍ନତିକରଣ ନିମନ୍ତେ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ କରାଯିବ । ଏହା ଦ୍ୱାରା କଟକର ବାରଙ୍ଗ ଏବଂ ଜଟଣୀର ରେତଙ୍ଗ ମଧ୍ୟରେ ସିଧାସଳଖ ସଡ଼କ ସଂଯୋଗ ହୋଇପାରିବ । ଏଥି ସହ କଟକ ପୁରୀ ରୋଡରୁ ରବି ଟକିଜ ଏବଂ ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଟ୍ରାଫିକ୍ ଭିଡ ନିୟନ୍ତ୍ରଣ କରାଯାଇପାରିବ । ଏ ସଂପର୍କରେ ଏକ ବୈଠକ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ଏହି ସଡ଼କ ଉନ୍ନତିକରଣ ସଂପର୍କରେ ସୂଚନା ଦେଇଛନ୍ତି ।
କେନାଲ ସଂଲଗ୍ନ ୪ଟି ଷ୍ଟ୍ରେଚରେ ୬ ଲେନ ବିଶିଷ୍ଟ ପ୍ରାୟ ୩୮ କିଲୋମିଟର ଦୈର୍ଘ୍ୟ ରାସ୍ତା ନିର୍ମାଣ କରାଯିବ । ଏଥି ନିମନ୍ତେ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ କରାଯିବ । ପ୍ରଥମ ଷ୍ଟ୍ରେଚରେ ୧୩.୭୪ କି.ମି, ଦ୍ୱିତୀୟ ଷ୍ଟ୍ରେଚରେ ୭.୨୯କି.ମି, ତୃତୀୟରେ ୩.୧୬ ଏବଂ ଚତୁର୍ଥ ଷ୍ଟ୍ରେଚରେ ୧୩.୮୪ କି.ମି ରାସ୍ତା ଉନ୍ନତିକରଣ ନେଇ ପୂର୍ତ୍ତ ସଚିବ ବୈଠକରେ ସୂଚନା ଦେଇଛନ୍ତି । ଏହି ଉନ୍ନତିକରଣ ପ୍ରକ୍ରିୟା ଜଳ ସଂପଦ ବିଭାଗ ସହ ସମନ୍ୱୟ ରକ୍ଷା କରି ତ୍ୱରାନ୍ୱିତ କରାଯିବା ସହ ଆବଶ୍ୟକୀୟ ଥଇଥାନ କରାଯିବା ନେଇ ମୁଖ୍ୟ ଶାସନ ସଚିବ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହି ସଡ଼କ ସଂଯୋଗ ଦ୍ୱାରା ବିଭିନ୍ନ ସ୍ଥାନ ମାନଙ୍କ ମଧ୍ୟରେ ଦୂରତ୍ୱ ହ୍ରାସ ପାଇବ । ଏହା ଦ୍ୱାରା କୂଆଖାଇ ଓ ଦୟାନଦୀ ମଧ୍ୟରେ ଥିବା ଅଂଚଳରେ ଉନ୍ନତିକରଣ ନେଇ ନୂଆ ସମ୍ଭାବନା ସୃଷ୍ଟି ହେବ ।