ଭୁବନେଶ୍ବର: ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା ହେଲେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ କୁଳପତି ଭାବେ ମନୋନୀତ କରିଛନ୍ତି । ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ସେ କୁଳପତି ଭାବେ କାର୍ଯ୍ୟ କରିବେ । ତେବେ ପୂର୍ବରୁ ସେ ସ୍ବାସ୍ଥ୍ୟ ବିଭାଗରେ ଓଏଓଡ଼ି ଭାବେ କାର୍ଯ୍ୟ କରୁଥିଲେ । ବର୍ତ୍ତମାନ ଶିଶୁଭବନ ଛକ ତଥା ଆଦିବାସୀ ପଡ଼ିଆ ନିକଟରେ ବିଶ୍ବବିଦ୍ୟାଳୟ କାର୍ଯ୍ୟ ଜାରି ରହିଥିବା ବେଳେ ଚଳିତ ବର୍ଷ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ସୂଚନା ଅନୁଯାୟୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟାୟକଙ୍କ ଜନ୍ମବାର୍ଷିକୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ସ୍ଥାପନା ଘୋଷଣା କରିଥିଲେ । ଚଳିତ ଶିକ୍ଷାବର୍ଷ ଠାରୁ ରାଜ୍ୟର ସମସ୍ତ ଚିକିତ୍ସା ଓ ଆନୁସଙ୍ଗିକ ବିଜ୍ଞାନ ମହାବିଦ୍ୟାଳୟ ଅନୁଷ୍ଠାନଗୁଡ଼ିକ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ସହିତ ସହବନ୍ଧିତ ହୋଇ ରହିବ ।
ଚଳିତ ଶିକ୍ଷାବର୍ଷଠାରୁ ଆଧୁନିକ ଚିକିତ୍ସା, ଦନ୍ତ ରୋଗ ଚିକିତ୍ସା ବିଜ୍ଞାନ, ଆର୍ୟୁବେଦ, ହୋମିଓପାଥି, ନର୍ସିଂ, ଫାର୍ମାସୀ, ଫିଜିଓଥେରାପି ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଜ୍ଞାନ ପାଠ୍ୟକ୍ରମ ଏହି ବିଶ୍ୱବିଦ୍ୟାଳୟର ବିଷୟ ପରିସରଭୁକ୍ତ ହେବ । ରାଜ୍ୟରେ ଅନେକ ସଂଖ୍ୟକ ଚିକିତ୍ସା ମେଡିକାଲ କଲେଜ ଗଢ଼ି ଉଠୁଥିବା ଦୃଷ୍ଟିରୁ ଚିକିତ୍ସା ଶିକ୍ଷା ବିଜ୍ଞାନ ପ୍ରଣାଳୀକୁ ଅଧିକ ସରଳ, ଦକ୍ଷ ଓ ସୁଂସଗଠିତ କରିବା ଉଦ୍ଦେଶ୍ୟ ନେଇ ଏକ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଗଠନ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଥିଲେ ।