ଭୁବନେଶ୍ବର: ଆସନ୍ତାକାଲି ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାଖାପାଖି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଯାହାର ପ୍ରଭାବରେ ୭ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଉ ଏହି ଲଘୁଚାପ କ୍ଷେତ୍ରଟି ପରବର୍ତ୍ତୀ ସମୟରେ ଅବପାତ ଓ ସାମୁଦ୍ରିକ ଝଡ଼ର ରୂପ ନେବାର ସମ୍ଭାବନା ରହିଛି । ସାମୁଦ୍ରିକ ଝଡ଼ ରୂପ ନେବା ପରେ ବଙ୍ଗୋପସାଗରରୁ ଧିରେଧିରେ ଉତ୍ତର ଆଡ଼କୁ ଗତି କରି କେନ୍ଦ୍ରୀୟ ବାଙ୍ଗୋପ ସାଗର ଆଡ଼କୁ ଯିବାପରେ ଏହା ବାତ୍ୟାରେ ପରିଣତ ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏବେ ଠାରୁ ଏହାର ତୀବ୍ରତା ଓ ଗତିପଥ ଆକଳନ କରାଯାଇପାରି ନାହିଁ । ଓଡିଶା ଉପରେ ଏହାର ପ୍ରଭାବ ରହିବ କି ନାହିଁ, ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ ।
ଅନ୍ୟପଟେ ଏନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, "ସାଧାରଣତଃ ବାତ୍ୟା ଦୁଇଟି ଋତୁରେ ହୋଇଥାଏ । ଖରାଦିନେ ଏପ୍ରିଲ, ମେ ଓ ଜୁନ ମାସରେ ଏବଂ ବର୍ଷା ଦିନରେ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବରରେ ବାତ୍ୟା ସୃଷ୍ଟି ହୋଇଥାଏ । ଖରାଦିନେ ବିଶେଷ କରି ମେ ମାସରେ ଅଧିକ ବାତ୍ୟା ସୃଷ୍ଟି ହୋଇଥାଏ । ଦେଖିବାକୁ ଗଲେ ଏହି ବାତ୍ୟା ଗୁଡ଼ିକର ପ୍ରଭାବ ଓଡ଼ିଶା ଉପରେ ଆଗରୁ ପଡ଼ିଛି । କିନ୍ତୁ ସବୁଥର ପଡ଼ିବ ବୋଲି ମଧ୍ୟ କହିପାରିବା ନାହିଁ । ତେଣୁ ପ୍ରଥମେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉ, ତା' ପରେ ଯାଇ ଆକଳନ କରିହେବ କେଉଁଠି ଏହାର ପ୍ରଭାବ ରହିବ । ବିଶେଷ ଭାବେ ଓଡ଼ିଶା ଉପରେ ଏହାର ପ୍ରଭାବକୁ ନେଇ ଆକଳନ କରାଯାଇପାରିନାହିଁ ।"