ଭୁବନେଶ୍ବର:ରାଜ୍ୟକୁ ଘନେଇଲା ବାତ୍ୟା ବିପଦ ! ଅକ୍ଟୋବର ପ୍ରଥମ ସପ୍ତାହରେ ରାଜ୍ୟରେ ହୋଇପାରେ ବାତ୍ୟା ! ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ସୃଷ୍ଟି ହୋଇପାରେ ବୋଲି କିଛି ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଆକଳନ କରିଛନ୍ତି । ତେବେ ବାତ୍ୟାକୁ ନେଇ ଏବେଠୁ ଆକଳନ କରିବା ସଠିକ ନୁହେଁ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ କୁହାଯାଇଛି ।
ଆଇଏମଡିର ଆକଳନ ଅନୁସାରେ ୨୯ ସେପ୍ଟେମ୍ବରରୁ ୫ ଅକ୍ଟୋବର ମଧ୍ୟରେ ସାଇକ୍ଲୋଜେନେସିସ୍ ହେବାର ସମ୍ଭାବନା କମ ଦର୍ଶାଉଛି । ହେଲେ କିଛି ଅନ୍ତର୍ଜାତୀୟ ମଡେଲର ଆକଳନ ଅନୁସାରେ, ସେପ୍ଟେମ୍ବର ୨୮ କିମ୍ବା ୨୯ ତାରିଖ ବେଳକୁ ଘୂର୍ଣ୍ଣିବଳୟ ଏବଂ ୩୦ ତାରିଖ ବେଳକୁ ଲଘୁଚାପ ଏବଂ ପରବର୍ତ୍ତୀ ସମୟରେ ଏହା ବାତ୍ୟା ରୂପ ନେଇପାରେ । ସେହିପରି ECMWF ମଡେଲର ଆକଳନ ହିସାବରେ, ୩୦ କିମ୍ବା ଅକ୍ଟୋବର ୧ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି । ହେଲେ ବାତ୍ୟା ସମ୍ଭାବନା କ୍ଷୀଣ ରହିଛି ।
ଏହାମଧ୍ୟ ପଢନ୍ତୁ.. ବର୍ଷାରେ ବେହାଲ ବ୍ରହ୍ମପୁର: ଘରେ ଆଣ୍ଠୁଏ ଲେଖାଏଁ ନର୍ଦ୍ଦମା ପାଣି, ଚିନ୍ତାରେ ଲୋକେ
ସିଏଫସ ମଡେଲ ଅନୁସାରେ, ଅକ୍ଟୋବର ପ୍ରଥମ ସପ୍ତାହରେ ଅବପାତ ସମ୍ଭାବନା ରହିଛି । ବର୍ତ୍ତମାନର ପାଣିପାଗ ସ୍ଥିତିକୁ ଅନୁଧ୍ୟାନ କଲେ ୨୯ ସେପ୍ଟେମ୍ବରରୁ ୧ ଅକ୍ଟୋବର ମଧ୍ୟରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ବଙ୍ଗୋପସାଗରରେ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା କେତେ ଘନୀଭୂତ ହେବ ଏବଂ କେଉଁ ଦିଗକୁ ମୁହାଁଇବ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ । ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଆକ୍ୟୁ ଓ୍ବେଦରର ପାଣିପାଗ ବିଶେଷଜ୍ଞ ଜାସୋନ ନିକୋଲ୍ସ ସମ୍ଭାବ୍ୟ ବାତ୍ୟା ନେଇ ଏକ୍ସ(ପୂର୍ବର ଟ୍ୱିଟର)ରେ ସୂଚନା ଦେଇଛନ୍ତି ।