ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି(ଗୁରୁବାର) ସକାଳେ ଗଭୀର ଅବପାତରେ ପରିଣତ ହୋଇଛି । ଅବପାତ ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରୁଛି । ଏହା ପାରାଦ୍ବୀପ ଠାରୁ ୩୨୦ କିଲୋମିଟର ଓ ଦୀଘା ଠାରୁ ୪୬୦ କିମି ଦୂରରେ ରହିଛି । ଏହି ଗଭୀର ଅବପାତ ପରବର୍ତ୍ତୀ ସମୟରେ ଅର୍ଥାତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରେ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ।
ବାତ୍ୟାର ନାମ କରଣ ହୋଇଛି "ମିଧିଲି" । ବାତ୍ୟା "ମିଧିଲି" ଆସନ୍ତା ୧୮ ତାରିଖ ସକାଳେ ବାଂଲାଦେଶ ଦେଇ ଗତି କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହି ସମୟରେ ପବନର ବେଗ ୬୦ରୁ ୭୦ କିଲୋମିଟର ପର୍ଯ୍ୟନ୍ତ ରହିବ । ଏହାସହ ପବନ ସର୍ବାଧିକ ୮୦ କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡ଼ିଶା ଉପକୂଳ ଓ ଏହାର ଆଖପାଖ ଅଞ୍ଚଳରେ ୫୦ରୁ ୬୦ କିଲୋମିଟର ଏବଂ ସର୍ବାଧିକ ୭୦ କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ପବନର ବେଗ ବଢ଼ି ୯୦ କିଲୋମିଟରରେ ପହଞ୍ଚିପାରେ ।
ପବନର ବେଗକୁ ନେଇ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ । ସେହିପରି ଏହି ସମୟରେ ରାଜ୍ୟରେ ବର୍ଷାର ପ୍ରଭାବ ହାଲୁକାରୁ ମଧ୍ୟମ ଧରଣର ରହିବ । ବିଶେଷ ଭାବେ ପୁରୀ ଠାରୁ ଆରମ୍ଭ କରି ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ । ସେହିପରି ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ଆଜି(ଗୁରବାର) ସନ୍ଧ୍ୟାରେ ଉପକୂଳ ଓଡ଼ିଶାରେ ପବନର ବେଗ ବଢ଼ିବ।ର ଥିବା ବେଳେ, ବିଶେଷ ବର୍ଷା ହୋଇନପାରେ ।