ଭୁବନେଶ୍ବର: ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ । ଅସନ୍ତୋଷ ସହ କ୍ଷୋଭ ପ୍ରକାଶ କରିଛନ୍ତି ବିଧାୟକ । କୌଣସି ପ୍ରକାର ଦଳ ବିରୋଧୀ କାର୍ଯ୍ୟ କରିନଥିବାରୁ ଆଲୋଚନା କରିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି । ଟିକେଟ ଦେଲେ କଂଗ୍ରେସରୁ ନିର୍ବାଚନ ଲଢ଼ିବି । ନହେଲେ ସ୍ବାଧୀନ ଭାବେ କଟକ ଲୋକଙ୍କ ପାଇଁ ଲଢେଇ କରିବି ବୋଲି କହିଛନ୍ତି ମୋକିମ । ହେଲେ ଅନ୍ୟ କୌଣସି ଦଳକୁ ଯିବାର ପ୍ରଶ୍ନକୁ ଖଣ୍ଡନ କରିଛି ଏହି ହେଭିୱେଟ ନେତା । ସେପଟେ ଏହା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।
'ମୁଁ କଂଗ୍ରେସରେ ଅଛି, ରହିବି': ଦଳରୁ ନିଲମ୍ବନ ପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ମହମ୍ମଦ ମୋକିମ । ସେ କହିଛନ୍ତି, "ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ ନେଇ AICC ଆମକୁ ଉତ୍ତର ମାଗିଥିଲା । ଆମେ ଉତ୍ତର ରଖିଛୁ । ସେ ଉତ୍ତର ସନ୍ତୋଷଜନକ ନଥିଲା ବୋଲି ଦର୍ଶାଇ ଆମକୁ ଦଳରୁ ନିଲମ୍ବନ କରାଯାଇଛି । ମୁଁ କେବେ ବି ଦଳ ବିରୋଧରେ କୌଣସି ଟିପ୍ପଣୀ ଦେଇନାହିଁ । ଦଳକୁ କ୍ଷତି କରିବା ଭଳି କୌଣସି କାର୍ଯ୍ୟକ୍ରମ କରିନାହୁଁ । ମୋର ବିଶ୍ବାସ ଅଛି ଯିଏ ବି ଯାହା କରିଛି ଆଗାମୀ ଦିନରେ ପ୍ରକାଶ ପାଇବ । ମୁଁ ନିଲମ୍ବନ ହେଲା ପରେ ବି କଂଗ୍ରେସରେ ରହିବି । ଆଗାମୀ ଦିନରେ ଦଳକୁ ସୃଦୁଢ କରିବା ପାଇଁ କାର୍ଯ୍ୟ କରିବି । ଦଳ ନିଲମ୍ବନ କରିଛି ବହିଷ୍କାର କରିନାହିଁ । ଖରାପ ସମୟରେ କଂଗ୍ରେସ ସହ ଥିଲୁ । କଂଗ୍ରେସକୁ ମଜବୁତ କରୁଥିଲୁ ।"
'କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କ ଷଡ଼ଯନ୍ତ୍ର': ସେ ଆହୁରି ମଧ୍ୟ କହିଛନ୍ତି, "କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଯାହାର ଗୋଡ଼ ତଳେ ମାଟି ନାହିଁ, ସେମାନେ ପଦାଧିକାରୀ ହେବା ସହ ଦଳର ମଙ୍ଗ ଧରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି । ଏଥିପାଇଁ ମୁଁ ଆଦୌ ବିଚଳିତ ନୁହେଁ । ଏନେଇ ପିସିସି ସଭାପତି ଆମ ସହିତ ଆଲୋଚନା କରିବାର ଥିଲା । ଆମ ସହ ଆଲୋଚନା ନକରି ବିଧାୟକ ଏବଂ ପୂର୍ବତନ କାର୍ଯ୍ୟକାରୀ ସଭାପତିଙ୍କ ବିରୋଧରେ ଏକପାଖିଆ ଅଭିଯୋଗ ଦିଲ୍ଲୀକୁ ପଠାଇଲେ । ଏହା ଦଳ ପାଇଁ ଶୁଭ ସଂକେତ ନୁହେଁ । ମୁଁ ଅନୁତପ୍ତ ନୁହେଁ କାରଣ ମୁଁ କିଛି ଭୁଲ କରିନାହିଁ । କଂଗ୍ରେସକୁ ସୃଦୁଢ କରିବା ପାଇଁ କାର୍ଯ୍ୟକ୍ରମ କରିଥିଲୁ ।"