ଖୋର୍ଦ୍ଧା:ଜିଲ୍ଲାରେ କାଉ ମଡକ ଦେଖିବାକୁ ମିଳିଛି । ଗତ ଦୁଇ ଦିନ ମଧ୍ୟରେ ଖୋର୍ଦ୍ଧାର ବିଭିନ୍ନ ଅଞ୍ଚଳରେ ଏକାଧିକ କାଉଙ୍କ ମୃତଦେହ ପଡିଥିବାର ଦେଖାଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଲୋକମାନେ ବାର୍ଡ ଫ୍ଲୁ ଆଶଙ୍କା କରିବା ସହ ଏନେଇ ତଦନ୍ତ କରିବା ପାଇଁ ଦାବି କରିଛନ୍ତି ।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାର ପୁବୁସାହି ଗ୍ରାମର ଏକ ମନ୍ଦିର ନିକଟରେ ପ୍ରାୟ ୮ରୁ ୧୦ କାଉ ଏବଂ ପୁବୁସାହି ବଜାର ନିକଟରେ ୧୦ରୁ ୧୨ କାଉ ମରି ପଡିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ଗତ 2 ଦିନ ମଧ୍ୟରେ ଏତେ ସଂଖ୍ୟାରେ କାଉ ମରିବା ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଗତ ଦୁଇ ଦିନ ହେବ କାଉ ମଡ଼କକୁ ଦେଖି ସ୍ଥାନୀୟ ଲୋକେ ବାର୍ଡ ଫ୍ଲୁ ଆଶଙ୍କା କରିବା ସହ ଏନେଇ ପ୍ରାଣୀଧନ ବିଭାଗକୁ ଖବର ଦେଇଥିଲେ ।
ଖବର ମିଳିବା ପରେ ସୋମବାର ସନ୍ଧ୍ୟାରେ ଜିଲ୍ଲା ପ୍ରାଣୀଧନ ଉପନିର୍ଦ୍ଦେଶକ ମାନସ କୁମାର ଚାନ୍ଦଙ୍କ ନେତୃତ୍ବରେ ଗୋଟିଏ ଟିମ୍ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି । ଏଠାରେ କାଉ ମଡ଼କର ସତ୍ୟତା ଥିବା ଟିମ୍ର ସଦସ୍ୟମାନେ ଜାଣିବାକୁ ପାଇଛନ୍ତି । ମରି ପଡ଼ିଥିବା କାଉଗୁଡ଼ିକର ମୃତ୍ୟୁ ୨ରୁ ୩ ଦିନ ପୂର୍ବରୁ ହୋଇଥିବାରୁ ସେଗୁଡ଼ିକ ପରୀକ୍ଷା ଲାଗି ପଠାଇବା ବିଭାଗ ପାଇଁ କାଠିକର ହୋଇପଡ଼ିଛି ।