ଖୋର୍ଦ୍ଧା: ଖରିଫ ଧାନ ଫସଲ ପ୍ରାରମ୍ଭରୁ ସ୍ବଳ୍ପ ବର୍ଷା ହେବା କାରଣରୁ କୃଷି କାର୍ଯ୍ୟରେ ବିଳମ୍ବ ହୋଇଥିଲା । ହେଲେ ଅଗଷ୍ଟ ମାସରେ ଲଘୁଚାପ ବର୍ଷା ହେବା ଯୋଗୁଁ ରୁଆ ପୋତା କାର୍ଯ୍ୟ କରି ଭଲ ଫସଲ ଅମଳର ଆଶା ରଖିଥିଲା ଚାଷୀ । ହେଲେ ଦଇବ ଦାଉ ସାଜିଲା ପରି ମହାନଦୀ ବନ୍ୟାଜଳ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବେଶ କରିଛି । ଫଳରେ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଥିବାରୁ ଧାନ ଗଛ ମୂଳ ଗୁଡିକ ନଷ୍ଟ ହୋଇଯାଇଛି। ଯାହାକୁ ନେଇ ଚିନ୍ତାରେ ପଡିଛି ଚାଷୀ କୂଳ ।
ଜିଲ୍ଲାର 6 ଟି ବ୍ଲକରେ ବନ୍ୟା ଯୋଗୁଁ ଫସଲ କ୍ଷୟ କ୍ଷତି ହୋଇଥିବା ଜଣାପଡିଛି । ତା ମଧ୍ୟରେ ବାଲିପାଟଣା ବ୍ଲକରେ ସର୍ବାଧିକ 2680 ହେକ୍ଟର, ଖୋର୍ଦ୍ଧା ବ୍ଲକରେ 2280 ହେକ୍ଟର , ବେଗୁନିଆ 1349 ହେକ୍ଟର, ଜଟଣୀ 875 ହେକ୍ଟର, ବାଲିଅନ୍ତା 200 ହେକ୍ଟର ଏବଂ ଭୁବନେଶ୍ବର ବ୍ଲକରେ 310 ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ଫସଲ ନଷ୍ଟ ହୋଇଛି ।