ଭୁବନେଶ୍ବର: ନବ ଦାସ ହତ୍ୟା ମାମଲା ନେଇ କ୍ରାଇମବ୍ରାଞ୍ଚର ଅଜବ ସ୍ପଷ୍ଟୀକରଣ । ହତ୍ୟାକାରୀ ଗୋପାଳ ଦାସର ବ୍ୟକ୍ତିଗତ ଶତୃତା ରାଜ ଖୋଲିଲାନି କ୍ରାଇମବ୍ରାଞ୍ଚ । ଅଥଚ ମିଡିଆ ରିପୋର୍ଟ ନେଇ ରଖିଛି ସ୍ପଷ୍ଟୀକରଣ । ଏନେଇ ପ୍ରେସ ରିଲିଜ ଜରିଆରେ ତିନୋଟି ଦିଗ ଉପରେ ଗୁରୁତ୍ବ ଦେଇ କ୍ରାଇମବ୍ରାଞ୍ଚ କାରଣ ଦର୍ଶାଇଛି । ଆମେରିକାର FBI ସହଯୋଗ ପାଇଁ ଗୃହ ମନ୍ତ୍ରାଳୟ ନିକଟରେ କ୍ରାଇମବ୍ରାଞ୍ଚ ଆବେଦନ କରିନଥିବା ଖବର ଭୁଲ ବୋଲି କହିଛି କ୍ରାଇମବ୍ରାଞ୍ଚ । ଏପରିକି ଏହା ସମ୍ପୂର୍ଣ୍ଣ ଦାୟିତ୍ବହୀନତା, ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଗୃହ ମନ୍ତ୍ରାଳୟକୁ ନିବେଦନ କରାଯାଇଥିବା ସ୍ପଷ୍ଟ କରାଯାଇଛି ।
ଅନ୍ୟପଟେ ଗୋପାଳର ମାନସିକ ସ୍ଥିତି ନେଇ କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି, ଗୋପାଳର ପରିବାର ଅଭିଯୋଗ ଆଣିଥିଲେ ଯେ ସେ ମାନସିକ ରୋଗୀ । ସେ ମେଡିସିନ୍ ମଧ୍ୟ ସେବନ କରୁଥିଲେ ବୋଲି ପରିବାର କହିଥିଲେ । କିନ୍ତୁ ମାନସିକ ବିଶେଷଜ୍ଞ କହିଥିଲେ ସେ ସୁସ୍ଥ ଏବଂ ଆହୁରି ପରୀକ୍ଷା ପାଇଁ ମତ ଦେଇଥିଲେ । ଏଥିପାଇଁ ସମ୍ବେଦନଶୀଳତା ଦୃଷ୍ଟିରୁ ଏହାକୁ ବିଶେଷଜ୍ଞଙ୍କ ଦ୍ଵାରା ତଦନ୍ତ ପାଇଁ ସହଯୋଗ ଲୋଡିଥିଲା କ୍ରାଇମବ୍ରାଞ୍ଚ । ଦିଲ୍ଲୀ CFSL ସହ ଗୁଜରାଟ ଫରେନସିକ ଲ୍ୟାବର ମଧ୍ୟ ସହଯୋଗ ନିଆଯାଇଥିଲା । ଏସସିବି କଟକ ସହୟତା ନେବା ସହ NIMHANSକୁ ମଧ୍ୟ ସହଯୋଗ ପାଇଁ ନିବେଦନ କରାଯାଇଥିଲା । କିନ୍ତୁ ଏହିସବୁ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା ଯେ, ଗୋପାଳର ମସ୍ତିଷ୍କ ସନ୍ତୁଳନ ଠିକ ରହିଛି । ଏନେଇ ତା'ର ଆଚାରବ୍ୟବହାର ଜାଣିବା ପାଇଁ FBI ସହଯୋଗ ଲୋଡ଼ାଯାଇଥିଲା । ତାଙ୍କର ଏକ୍ସପର୍ଟ ଓ ମେସିନ ଜରିଆରେ ତଦନ୍ତ ପାଇଁ ସହାୟତା ମଗାଯାଇଥିଲା । ଏପରିକି ୨୬/୧୧ ଆକ୍ରମଣ ଓ ଭନୱରି ଦେବୀ ହତ୍ୟାକାଣ୍ଡ ମାମଲାରେ ଏପରି ସହାୟତା ସିବିଆଇ ଲୋଡିଥିଲା ।