ଭୁବନେଶ୍ବର:ରାଜ୍ୟରେ ପୁଣି ଉପର ମୁହାଁ କୋରନା ସଂକ୍ରମଣ । ଏନେଇ ସଂକ୍ରମଣ ରୋକିବାକୁ ସ୍ବାସ୍ଥ୍ୟ ବିଭାଗର ତତ୍ପରତା । ହୋମ ଆଇସୋଲେସନରେ ଥିବା ରୋଗୀଙ୍କ ଉପରେ ତୀକ୍ଷ୍ନ ନଜର ରଖିବାକୁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ। ଏଥିସହ ରୋଗୀଙ୍କୁ ପ୍ରୋଟୋକଲ କଡ଼ାକଡ଼ି ପାଳନ କରିବାକୁ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।
ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ଚଳିତ ଲହରରେ ବର୍ତ୍ତମାନ ସୁଦ୍ଧା ଦୈନିକ ସଂକ୍ରମଣ ୨୦୦ ରୁ ୩୦୦ ଭିତରେ ରହୁଛି। ଗତ ୨୪ ଘଣ୍ଟାରେ ୨୬୮ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସକ୍ରିୟ ରୋଗୀ ସଂଖ୍ୟା ୧୬୭୦। ମାତ୍ର ସେମାନଙ୍କ ମଧ୍ୟରୁ କେବଳ ୩୩ ଜଣ ସଂକ୍ରମିତ ଡାକ୍ତରଖାନାରେ ଅଛନ୍ତି। ତେବେ ୯୮ ପ୍ରତିଶତ ରୋଗୀ ଘରେ ଅଛନ୍ତି। ଯେହେତୁ ଅଧିକାଂଶ କୋଭିଡ ରୋଗୀ ଘରେ ରହୁଛନ୍ତି, ସେମାନଙ୍କ ଉପରେ ତୀକ୍ଷ୍ନ ନଜର ରଖିବାକୁ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଘରେ ଥିବା ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯିବ। ଯାହାର ଆବଶ୍ୟକ ପଡ଼ିବ, ତୁରନ୍ତ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ। ଏହା ଦ୍ବାରା ରାଜ୍ୟରେ ସଂକ୍ରମଣ ବେଶ ରୋକା ଯାଇପାରିବ। ଏବେ ରାଜ୍ୟରେ କୋଭିଡରେ ମୃତ୍ୟୁ ହୋଇଥିବା ୩ ଜଣ ଯାକ ଗୁରୁତର କୋମରବିଡ ରୋଗୀ ଥିଲେ। ଖାଲି କୋଭିଡ ଯୋଗୁଁ କାହାର ମୃତ୍ୟୁ ହୋଇନି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।