ଭୁବନେଶ୍ବର:ରାଜ୍ୟରେ ଶହେ ଟପିଲା ଦୈନିକ ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦୪ ନୂଆ ପଜିଟିଭ ଚିହ୍ନଟ ହୋଇଛି । ମୋଟ ସକ୍ରିୟ ରୋଗୀ ସଂଖ୍ୟା ୪୨୯କୁ ବୃଦ୍ଧି । ସେହିପରି ଗତ ଦିନକ ମଧ୍ୟରେ ୩୪ ରୋଗୀ ସୁସ୍ଥ ହୋଇଛନ୍ତି । ରାଜ୍ୟରେ 5 ହଜାର 526ଟି ସାମ୍ପଲ୍ ଟେଷ୍ଟ କରାଯାଇଥିବା ବେଳେ ସେଥିରୁ 104 ନୂଆ ପଜିଟିଭ ଚିହ୍ନଟ ହୋଇଛି । ତେବେ ରାଜ୍ୟରେ ଦୈନିକ ସଂକ୍ରମଣ ଧୀରେଧୀରେ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି । ରାଜ୍ୟରେ କରୋନାର ଆଉ ଏକ ଲହର ଆସିବା ନେଇ ଏକ ପ୍ରକାର ସଂକେତ ମିଳିଛି । ଦୀର୍ଘ ମାସର ବ୍ୟବଧାନ ପରେ ଆଜି ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଛି ।
ସୂଚନା ଅନୁଯାୟୀ, ରାଜ୍ୟରେ ଦିନକୁ ଦିନ ଏକାଧିକ ଜିଲ୍ଲାରେ କୋରୋନା ସଂକ୍ରମଣ ସଂଖ୍ୟା ବଢ଼ୁଛି । ଯଦିଓ ରାଜ୍ୟରେ କୋରୋନା ସଂକ୍ରମଣ ବଢ଼ୁଛି, ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ବ୍ୟକ୍ତିଙ୍କ ଏପର୍ଯ୍ୟନ୍ତ ମୃତ୍ୟୁ ଘଟି ନାହିଁ । ଅନ୍ୟପଟେ ଦେଶରେ ଦୈନିକ କୋଭିଡ୍ ସଂକ୍ରମଣ ୫ ହଜାର ଟପିଛି । ଯାହା ଚିହ୍ନଟ ହୋଇଥିବା ସଂକ୍ରମଣ ମାମଲା ୬ ମାସରେ ସର୍ବାଧିକ ଅଟେ । ଦେଶରେ ସକ୍ରିୟ ସଂକ୍ରମଣ ମାମଲା ଚିହ୍ନଟ ପରେ ଚିନ୍ତାର କାରଣ ହୋଇଛି ।
ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ର ସମେତ ଦିଲ୍ଲୀ, ଛତିଶଗଡ଼, ଗୁଜରାଟ, ହରିୟାଣା, କର୍ଣ୍ଣାଟକ, ପୁଡ଼ୁଚେରୀ ଏବଂ ରାଜସ୍ଥାନରେ କୋରୋନା ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ସବୁ କୋଭିଡ ପଜିଟିଭ ନମୁନାକୁ ଜିନ ସିକ୍ୱେନ୍ସିଂ ପାଇଁ ପଠାଇବାକୁ ସମସ୍ତ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯିବା ସହ ସର୍ଭେଲାନ୍ସ ବଢ଼ାଇବାକୁ ମଧ୍ୟ କୁହାଯାଇଛି । ତେଣୁ ଲୋକମାନେ ଆତଙ୍କିତ ହେବାର କୌଣସି କାରଣ ନଥିବା ବେଳେ ଲୋକମାନେ ସଚେତନ ରହି କୋଭିଡ ନିୟମ ଅନୁପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।