ଭୁବନେଶ୍ବର: ଲାଞ୍ଚ ନେଇ ନିକଟରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ ଖଣ୍ଡଗିରି ଥାନାର ଏସଆଇ । ଏହାପରେ ପୋଲିସ ବିଭାଗ ଉପରେ ଚଡକ ପଡିଛି । ବଦନାମର ବୋଝ ମୁଣ୍ଡାଇ ବୁଲୁଛନ୍ତି ବରିଷ୍ଠ ଅଫିସର । ଏସବୁ ଭିତରେ ଦାୟିତ୍ବରେ ଥିବା ବରିଷ୍ଠ ଅଧିକାରୀଙ୍କ ମୁଣ୍ଡ ଚକ୍କର କାଟୁଛି । କାରଣ ବିଭାଗର କିଛି ବରିଷ୍ଠ ଅଧିକାରୀଙ୍କ ଲବି ପାଇଁ ଏଠି ପୁରା ଡିପାର୍ଟମେଣ୍ଟ ହେଉଛି ବଦନାମ । ଏକଥା ଆମେ କହୁନୁ ସାଧାରଣରେ ଏଭଳି ଚର୍ଚ୍ଚା ଜୋର ଧରିଛି ।
ଭୁବନେଶ୍ୱର ଓ କଟକରେ ଆଡ୍ଡା ଜମାଇ ବସିଛନ୍ତି କିଛି ନିର୍ଦ୍ଦିଷ୍ଟ ଦୁର୍ନୀତି ଖୋର ଅଫିସର । ନା ସେମାନଙ୍କ ଜିଲ୍ଲା ବାହରକୁ ବଦଳି ହେଉଛି ନା ସେମାନେ ଏଠି ରହି ବିଭାଗ ପାଇଁ ସୁନାମ ଆଣିଲା ଭଳି କାମ କରୁଛନ୍ତି । ଦୀର୍ଘଦିନ ଧରି ପ୍ରମୋସନ ପୋଷ୍ଟିଂ ପାଇଁ ତଳ ପୋଷ୍ଟରୁ ଉପର ପୋଷ୍ଟ ପର୍ଯ୍ୟନ୍ତ ଏଠାରେ ଗାଦି ମାଡ଼ି ବସି ରହିଛନ୍ତି । ଯଦି ବି ବଦଳି ବାହାରିଲା କିଛି ବରିଷ୍ଠ ଅଧିକାରୀ ବା ନେତାଙ୍କ ଲବିରେ ପୁନଶ୍ଚ ଭାବେ ଭୁବନେଶ୍ୱରରେ ଗାଦିମଡା ଅଫିସର ଭାବେ ପୁନଃ ଥଇଥାନ ହେଉଛନ୍ତି । ଫଳରେ ପ୍ରତି ତିନି ବର୍ଷରେ ଥରେ ବଦଳିର ନିୟମ ଥିଲେ ବି ଏମାନେ ବିଭାଗର ବଡବଡ ଅଫିସରଙ୍କ ପ୍ରରୋଚନାରେ ବା ସେମାନଙ୍କୁ ପ୍ରଭାବିତ କରି ଟ୍ବିନି ସିଟିରେ ଏବେ ଅବସ୍ଥାପିତ ହୋଇରହିଛନ୍ତି ।
ଏହି ଅଫିସର ସେମାନଙ୍କ ପତିଆରା ବଜାୟ ରଖି ଥାନାଠୁ ଆରମ୍ଭ କରି ମୁଖ୍ୟାଳୟ ପର୍ଯ୍ୟନ୍ତ ସବୁଠି ରହିଛନ୍ତି । ଏହି ଅଫିସର ମାନେ ସେମାନଙ୍କର ଏକ ଚେନ ବା ନେଟୱର୍କ ତିଆରି କରୁଛନ୍ତି । କିଏ ଥାନାରେ ଏଏସଆଇ ତ ଆଉ କିଏ ଏସଆଇ ପୁଣି କିଏ ଆଇଆଇସି ଇନସ୍ପେକ୍ଟର ଭାବେ ଦାୟିତ୍ବରେ ରହୁଛନ୍ତି । ଏପରିକି ବଦଳି ନିୟମ ଆସିଥିଲେ ବି କେହି କେହି ଏହାକୁ ଖାତିର ନକରି ପୂର୍ବପରି ଥାନାରେ ରହୁଛନ୍ତି । ଫଳରେ ଥାନାକୁ ଆସୁଥିବା ଜମି ଦଲାଲ, ପେସାଦାର ଠକ, ବିଲ୍ଡର ,ହୋଟେଲ ମାଲିକ, ବଡବଡ ବ୍ୟବସାୟୀ, ଜବରଦଖଲକାରୀ ଓ କଣ୍ଟ୍ରାକ୍ଟରଙ୍କ ସହ ଅଫିସରଙ୍କ ବଢୁଛି ଭାବ । ଯାହା ଫଳରେ ବିଭାଗରେ ବଢୁଛି ଦୁର୍ନୀତି ।