ଭୁବନେଶ୍ବର: କ୍ରୀଡା ଓ କଳା ଶିକ୍ଷକଙ୍କର ଅଭିନବ ପ୍ରତିବାଦ । ରାସ୍ତାରେ ହକି ଓ ବ୍ୟାଡମିଣ୍ଟନ୍ ଖେଳିଲେ । ରାଜ୍ୟରେ ହକି ବିଶ୍ଵକପର ପ୍ରଚାର ପ୍ରସାର ନିମନ୍ତେ ବିଦ୍ୟାଳୟ ସ୍ତରରୁ ହେଉଛି ବିଭିନ୍ନ କାର୍ଯ୍ୟକ୍ରମ । ହେଲେ ଅସ୍ଥାୟୀ ଶିକ୍ଷକମାନେ ଏପଟେ ରାଜ ରାସ୍ତାରେ ଧାରଣାରେ । ସ୍ଥାୟୀ ନିଯୁକ୍ତି ଦାବିରେ ଅଭିନବ ପ୍ରତିବାଦ କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଧାରଣାରତ ଶିକ୍ଷକ ।
ସ୍ଥାୟୀ ନିଯୁକ୍ତି ଦାବିରେ ଦୀର୍ଘ ଦିନ ହେବ ଧାରଣାରେ ବସିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନଥିବା କହିଛି କ୍ରୀଡା ଓ କଳା ଶିକ୍ଷକ ମହାସଙ୍ଘ । ଏହି ଅସ୍ଥାୟୀ କଳା ଓ କ୍ରୀଡା ପ୍ରଶିକ୍ଷକମାନେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ୨୦୧୩ ମସିହାରୁ ବିଭିନ୍ନ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ନିଯୁକ୍ତି ପାଇଥିଲେ । ସରକାର ୮,୮୬୬ କଳା ଓ କ୍ରୀଡ଼ା ପ୍ରସିକ୍ଷାକ ପଦବୀ ପାଇଁ ସ୍ବୀକୃତି ଦେଇଛନ୍ତି । ବର୍ତ୍ତମାନ ପ୍ରାୟ ୫ ହଜାର ପ୍ରଶିକ୍ଷକ କାର୍ଯ୍ୟରତ ରହିଥିବାବେଳେ ପ୍ରାୟ ଅନେକ ପ୍ରଶିକ୍ଷକ ଅସ୍ଥାୟୀ ନିଯୁକ୍ତି ତ୍ୟାଗ କରି ଅନ୍ୟ କାମରେ ଲାଗିଛନ୍ତି । ରାଜ୍ୟ ସରକାର ମାସକୁ ୨୪ଟି କ୍ଲାସ ପାଇଁ ସର୍ବାଧିକ ୫,୪୫୨ ଟଙ୍କା ଦରମା ଦେଉଛନ୍ତି । ଏହି ଚାକିରିର କିଛି ସର୍ତ୍ତାବଳୀ ସ୍ପଷ୍ଟ ହୋଇନଥିବାବେଳେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏଥିରେ ନିଯୁକ୍ତ ଶିକ୍ଷକ ।