ଓଡିଶା

odisha

ETV Bharat / state

Second Phase of Budget Session: ନବ ଦାସ ହତ୍ୟାକାଣ୍ଡକୁ ନେଇ ଗର୍ଜିବ କଂଗ୍ରେସ - କଂଗ୍ରେସ

ଶୁକ୍ରବାରଠୁ ବିଧାନସଭା ବଜେଟ ଅଧିବେଶନର ୨ୟ ପର୍ଯ୍ୟାୟ ଆରମ୍ଭ ହେବ । ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପ୍ରମୁଖ ମୁଦ୍ଦା ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତ ରାୟ । ଅଧିକ ପଢନ୍ତୁ

Congress
Congress

By

Published : Mar 9, 2023, 4:03 PM IST

Second Phase of Budget Session

ଭୁବନେଶ୍ବର:ଆସନ୍ତାକାଲି(ଶୁକ୍ରବାର) ଠାରୁ ବିଧାନସଭାରେ ଆରମ୍ଭ ହେବ ବଜେଟର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ । ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ ରହିଛି । ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡରେ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ପୁଣି ପ୍ରଶ୍ନ ଉଠାଇବାକୁ ଉଭୟ ବିରୋଧୀ ଦଳ ବିଜେପି ଏବଂ କଂଗ୍ରେସ ସଜବାଜ ହୋଇଛନ୍ତି । ନବ ଦାସ ହତ୍ୟାକାଣ୍ଡ ସମେତ ଦରଦାମ ବୃଦ୍ଧି, ବେକାରୀ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ କଂଗ୍ରେସ ଘେରିବ ବୋଲି କହିଛନ୍ତି ବରିଷ୍ଠ ବିଧାୟକ ସୁର ରାଉତ ରାୟ ।

ସୁର ରାଉତରାୟ କହିଛନ୍ତି, "ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ କଂଗ୍ରେସ ପ୍ରସଙ୍ଗ କରିବ। ନବ ଦାସ ହତ୍ୟାକାଣ୍ଡ ଏକ ପ୍ରମୁଖ ମୁଦ୍ଦା, ରାଜ୍ୟରେ ଆଇନ ଶୃଙ୍ଖଳା ଆଉ ନାହିଁ । ଦରଦାମ ବୃଦ୍ଧି ପାଇଁ ସାଧାରଣ ଲୋକେ ଅସହ୍ୟ ହୋଇପଡ଼ିଥିବା ବେଳେ ଚୁଲିମୁଣ୍ଡରେ ମହଙ୍ଗା ମାଡ଼ ହୋଇଛି । ଗ୍ୟାସ ୫୦ ଟଙ୍କା ବୃଦ୍ଧି ପାଇଛି । ବିଜେପି ସରକାରର ଏହି ବଡ଼ ଭୁଲ ଲାଗି ମା'ମାନେ ଆର୍ଥିକ ବୋଝର ସମ୍ମୁଖୀନ ହେଉଛନ୍ତି । ନିଜର ହକ ପାଇଁ ଚାଷୀ ଆଜି ରାଜରାସ୍ତାରେ । ଚାଷୀଙ୍କ ଧାନ ମଣ୍ଡିରେ ପଡିରହିଛି । ଏ ସବୁ କଥା ବିଧାନସଭାରେ ଉଠିବ।"

ଏହା ବି ପଢନ୍ତୁ- ରାତି ପାହିଲେ ମାଟ୍ରିକ ପରୀକ୍ଷା, କପି ରୋକିବାକୁ ୭୪ଟି ସ୍କ୍ୱାର୍ଡ ଗଠନ

ସେ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ ପ୍ରକ୍ରିୟାକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସୁର କହିଛନ୍ତି, " ନବ ଦାସଙ୍କ ଝିଅ ଦୀପାଳି ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ପ୍ରଶ୍ନ ଉଠାଇଲେଣି । ଏହି ତଦନ୍ତ ପ୍ରକ୍ରିୟା ଧିମେଇ ଯାଇଛି ବୋଲି ସେ କହିଛନ୍ତି । ମନ୍ତ୍ରୀ ଜଣେ କୋଟିପତି ଓ ଦକ୍ଷ ନେତା ଥିଲେ । ତାଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିବା ନେଇ କ୍ରାଇମବ୍ରାଞ୍ଚ ବିଳମ୍ବ କରୁଛି । ହତ୍ୟାକାଣ୍ଡକୁ ମାସେରୁ ଅଧିକ ଦିନ ବିତିଯାଇଥିଲେ ସୁଦ୍ଧା ଏଯାଏଁ ହତ୍ୟାକାଣ୍ଡର କାରଣ ଲୋକଲୋଚନକୁ ଆସିନାହିଁ । ସେପଟେ ହତ୍ୟାକାରୀ ଗୋପାଳ ଦାସ ପାଗଳ ନୁହେଁ ବୋଲି ମଧ୍ୟ ପ୍ରମାଣ ହୋଇସାରିଲାଣି । ତାଙ୍କୁ ଷଡ଼ଯନ୍ତ୍ର କରାଯାଇ ହତ୍ୟା କରାଯାଇଥିବା ବେଳେ ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଇବା ଲାଗି ମଧ୍ୟ ଷଡ଼ଯନ୍ତ୍ର ହେଉଛି ।"

ଶାସକ ଦଳ ମଧ୍ୟ ବିରୋଧୀଙ୍କ ପ୍ରଶ୍ନକୁ ସାମ୍ନା କରିବା ଲାଗି ପ୍ରସ୍ତୁତ ଅଛି ବୋଲି କହିଛନ୍ତି ବିଜେଡି ବିଧାୟିକା ତଥା ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କାଲିଠୁ ଗୃହ କମ୍ପିବ ବୋଲି କହିଥିଲେ । ଏହା ପରେ କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ପ୍ରତିକ୍ରିୟା ରଖି କହିଥିଲେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ କଂଗ୍ରେସ ପ୍ରସଙ୍ଗ କରିବ ।

ସୂଚନା ଥାଉ କି ଚଳିତ ଅଧିବେଶନରେ ବଜେଟ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବିରୋଧୀଙ୍କ ପକ୍ଷରୁ ଗୃହରେ ହୋହଲ୍ଲା କରାଯାଇଥିଲା । ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କୁ ଘେରିବା ଲାଗି ବିରୋଧୀ ଦଳ ସମସ୍ତ ପ୍ରକାର ରଣକୌଶଳ ପ୍ରସ୍ତୁତି କରିଥିବା କହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details