ଭୁବନେଶ୍ବର: ମୋଦି ସାଙ୍ଗିଆକୁ ନେଇ ଜାତିଗତ ଆକ୍ଷେପ ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ହେବାପରେ ମଧ୍ୟ ଏହି ବିବାଦ ତାଙ୍କ ପିଛା ଛାଡ଼ିନାହିଁ । ସୁରଟ ସେସନ୍ କୋର୍ଟ ଶୁଣାଇଥିବା ୨ ବର୍ଷ ଜେଲ ଦଣ୍ଡାଦେଶକୁ ଗୁଜରାଟ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ରାହୁଲ ଗାନ୍ଧୀ । ଯହାକୁ ଖାରଜ କରିଦେବା ସହ ୨ ବର୍ଷ ଜେଲ ଦଣ୍ଡାଦେଶକୁ କାଏମ ରଖିଛନ୍ତି ହାଇକୋର୍ଟ । ଏହାପରେ ସାରା ଦେଶରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ଗୁଡ଼ିକ କୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ଦେଶବ୍ୟାପୀ ଆନ୍ଦୋଳନ କରିବା ପାଇଁ ଅଣ୍ଟା ଭିଡ଼ିଛି କଂଗ୍ରେସ । ରାହୁଲ ଗାନ୍ଧୀ ମଧ୍ୟ ଏହି ମାମଲାକୁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି ଜଣାପଡ଼ିଛି । ଏନେଇ ଓଡ଼ିଶା କଂଗ୍ରେସ ମଧ୍ୟ ଆସନ୍ତା ୧୨ ତାରିଖରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ଦେଶରେ ଗଣତନ୍ତ୍ରକୁ ବିଜେପି ବିପଦରେ ପକାଇଛି ବୋଲି ଅଭିଯୋଗ ଆଣି ଜୁଲାଇ ୧୨ ତାରିଖରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବ କଂଗ୍ରେସ । ଏନେଇ ରାଜ୍ୟ କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକ ନେତୃତ୍ବରେ ସୋମବାର ଏକ ବୈଠକ ବସିଥିଲା । ଏହି ବୈଠକରେ ଆନ୍ଦୋଳନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଛି । କେନ୍ଦ୍ର ସରକାର ରାହୁଲ ଗାନ୍ଧୀଙ୍କ ପ୍ରତି ଯେଉଁ ଅନ୍ୟାୟ କରୁଛନ୍ତି, ଏହାକୁ ପ୍ରତିବାଦ କରି ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯିବ ବୋଲି ପିସିସି ସଭାପତି ଜଣାଇଛନ୍ତି । ରାହୁଲ ଗାନ୍ଧୀଙ୍କ ପ୍ରତି ଅନ୍ୟାୟକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ଶରତ । ରାହୁଲ ଗାନ୍ଧୀ ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରିବେ, ତାଙ୍କ ସ୍ବରକୁ ଅଧିକ ଶାଣିତ କରିବାକୁ କଂଗ୍ରେସର ସମସ୍ତ ନେତା ଓ କର୍ମୀ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବେ ବୋଲି ସେ କହିଛନ୍ତି ।