ଭୁବନେଶ୍ବର: ବ୍ୟାପକ ହେବ ଆନ୍ଦୋଳନ । ବିଜୁଳି ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇବା ପରେ ଏବେ ଗାଁ ଗାଁକୁ ଯିବ କଂଗ୍ରେସ । ଆସନ୍ତା ଜୁନ ୨୭ରେ ସବୁ ଜିଲ୍ଲାର ବିଦ୍ୟୁତ୍ ଅଫିସ ଆଗରେ ପ୍ରତିବାଦ କରିବ କଂଗ୍ରେସ । ଅଘୋଷିତ ବିଦ୍ୟୁତ୍ କାଟ୍, ଦୁର୍ବଳ ଭିତ୍ତିଭୂମି ଓ ଗ୍ରାହକଙ୍କଠାରୁ ବକେୟା ସୁଧ ଆଦାୟ ନେଇ ବିଦ୍ୟୁତ୍ ଅଫିସ ଘେରାଉ କରିବ ଦଳ । ସମସ୍ତ ୩୩ (ସାଂଗଠନିକ) ଜିଲ୍ଲାର କଂଗେସ ସଭାପତିଙ୍କ ନେତୃତ୍ବରେ ହେବ ପ୍ରତିବାଦ । ବକେୟା ପାଉଣା ବ୍ୟତୀତ ଉପଭୋକ୍ତାମାନେ ସୁଧ ନଦେବାକୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅନୁରୋଧ ।
ରାଜ୍ୟରେ ବିଦ୍ୟୁତ କାଟ୍ ନେଇ ବିରୋଧୀଙ୍କ ଆନ୍ଦୋଳନ ତେଜୁଥିବା ବେଳେ ଆଜି ଏଭଳି ସୂଚନା ଦେଇଛନ୍ତି ପିସିସି ସଭାପତି । ଏହା ପୂର୍ବରୁ କଂଗ୍ରେସ ଭୁବନେଶ୍ବରସ୍ଥିତ ଗ୍ରୀଡ୍କୋ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲା । ବାରମ୍ବାର ବିଦ୍ୟୁତ୍ କାଟ୍ ସମସ୍ୟା ପାଇଁ ରାଜ୍ୟ ସରକାର ଦାୟୀ ବୋଲି ଅଭିଯୋଗ ଆଣିଥିଲା କଂଗ୍ରେସ । ଭିତ୍ତିଭୂମିର ବିକାଶ ପାଇଁ ୨୦ ହଜାର କୋଟି ଟଙ୍କା କେଉଁବାଟରେ ଖର୍ଚ୍ଚ ହେଲା ବୋଲି ଏକ ଶ୍ବେତପତ୍ର ପ୍ରକାଶ କରନ୍ତୁ ସରକାର ବୋଲି ପିସିସି ସଭାପତି ଦାବି କରିଛନ୍ତି । ପ୍ରତି ମାସରେ ୧ରୁ ୫ ତାରିଖ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ତାରିଖରେ ବିଦ୍ୟୁତ ଦେୟ ବିଲ୍ ଗ୍ରାହକଙ୍କୁ ପ୍ରଦାନ କରାଯିବା ପାଇଁ ମଧ୍ୟ ଦାବି କରିଛି କଂଗ୍ରେସ ।