ଭୁବନେଶ୍ବର: ରାଜ୍ୟରେ ଜାତିଭିତ୍ତିକ ଜନଗଣନା ତୁରନ୍ତ କରାଯାଉ ବୋଲି ମତାମତ ପ୍ରକାଶ ପାଇବା ପରେ OBC ବର୍ଗଙ୍କ ସଂରକ୍ଷଣକୁ ନେଇ ତେଜିଛି ରାଜନୀତି । ସରକାର କାହିଁକି ଚୁପ ବସିଛନ୍ତି । ଯଦି OBC ଗଣନା କରିଛନ୍ତି ତାହେଲେ ତୁରନ୍ତ ରିପୋର୍ଟ ପ୍ରକାଶ କରନ୍ତୁ ।ଏଭଳି ଦାବି ଉଠିବା ପରେ ସଂରକ୍ଷଣ ରାଜନୀତି ତେଜିଛି । ଗୁରୁବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ କଂଗ୍ରେସ ମଧ୍ୟ ତୁରନ୍ତ ଜାତିଭିତିକ ଗଣନା ପାଇଁ ଦାବି କରିଛି । ରାଜ୍ୟରେ OBCପ୍ରାୟ 54 ପ୍ରତିଶତ ଥିବାବେଳେ କାହିଁକି ତାଙ୍କୁ ଅଣଦେଖା କରାଯାଉଛି । OBC ବର୍ଗଙ୍କୁ ଚାକିରି ଏବଂ ଶିକ୍ଷାରେ ଉପଯୁକ୍ତ ସଂରକ୍ଷଣ କାହିଁକି ଦିଆଯାଉ ନାହିଁ ବୋଲି ପ୍ରଶ୍ନ କରିଛି କଂଗ୍ରେସ ।
ଓବିସି ସର୍ଭେ ପ୍ରସଙ୍ଗରେ ମତ ରଖିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ସେ କହିଛନ୍ତି ଯେ, ରାଜ୍ୟରେ ଓବିସି ସର୍ଭେ ଠିକ ଭାବରେ ହୋଇନାହିଁ । ଗ୍ରାମାଞ୍ଚଳରେ ଥିବା ଓବିସି ଲୋକମାନେ ପଛରେ ରହିଯାଇଛନ୍ତି । ଯେଉଁଭଳି ଭାବରେ ତାଙ୍କର ବିକାଶ ହେବା କଥା ତାହା ହୋଇନାହିଁ । ବିହାରର ଓବିସି ସର୍ଭେ ପ୍ରକାଶ ହୋଇନଥିଲେ ରାଜ୍ୟ ସରକାର ମଧ୍ୟ ଏହାର ସର୍ଭେ ପ୍ରକାଶ କରିନଥାନ୍ତେ । ଆଗକୁ ନିର୍ବାଚନ ଆସୁଥିବାରୁ ଏହାକୁ ଆଖି ଆଗରେ ରଖି ସରକାର 2011 ଜନଗଣନା ରିପୋର୍ଟକୁ ଆଧାର କରି ତରବରିଆ ଭାବରେ ଏହାକୁ ପ୍ରକାଶ କରିଛନ୍ତି । ବିହାରରେ ଜାତିଭିତିକ ଜନଗଣନା ରିପୋର୍ଟ ଘୋଷଣା ହେବା ପରେ ଓଡ଼ିଶାରେ କାହିଁକି ଲାଗୁ ହେଉନାହିଁ । ଓଡିଶା ସରକାର OBCଙ୍କ ପାଇଁ ଦରଦ ନାହିଁ ବୋଲି କହି ସରକାରଙ୍କୁ ସେ ଟାର୍ଗେଟ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ....ଓଡ଼ିଶାରେ ଜାତିଭିତ୍ତିକ ଜନଗଣନା ତୁରନ୍ତ କରାଯାଉ: ଶ୍ରୀକାନ୍ତ ଜେନା