ଭୁବନେଶ୍ବର:ୟୁ-ଟୁବ୍ ବ୍ଲଗର କାମିଆ ଜାନିଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ଶ୍ରୀମନ୍ଦିରରେ ଜାନିଙ୍କ ଫୁଡ୍ ପ୍ରମୋସନକୁ ନେଇ ବିବାଦ ତେଜିବାରେ ଲାଗିଛି । ଏନେଇ ବିରୋଧୀ ଦଳ ଗୁଡିକ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଧର୍ମୀୟ ଚିନ୍ତାଧାରାକୁ ନେଇ ରାଜନୀତି ଜାରି ରହିଛି । କାମିଆ ଜାନି ପ୍ରସଙ୍ଗକୁ ନେଇ ବିଜେଡି ଉପରେ ବର୍ଷିଛି କଂଗ୍ରେସ । ସେପଟେ ଜବାବ ରଖିଲା ବିଜେଡି ।
ତେବେ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି, "ବିଜୁ ଜନତା ଦଳର ନେତା କହୁଛନ୍ତି ଜଗନ୍ନାଥ ଏବଂ ମହାପ୍ରସାଦର ପ୍ରଚାର ପ୍ରସାର ପାଇଁ କାମିଆଙ୍କୁ ଅଣା ଯାଇଥିଲା । କଂଗ୍ରେସ କହିବାକୁ ଚାହୁଁଛି ମହାପ୍ରସାଦର ପ୍ରଚାର ପ୍ରସାର କାମିଆ ଜାନି କିମ୍ବା ପାଣ୍ଡିଆନ କରି ନାହାନ୍ତି । ହଜାର ହଜାର ବର୍ଷ ଧରି ସମଗ୍ର ବିଶ୍ୱରେ ମହାପ୍ରସାଦକୁ ଲୋକେ ଆଦର କରି ଆସିଛନ୍ତି । ମୃତ୍ୟୁ ବେଳେ ବି ମହାପ୍ରସାଦକୁ ନିର୍ମାଲ୍ୟ ଭାବ ବ୍ୟବହାର କରାଯାଏ ସ୍ୱର୍ଗ ପ୍ରାପ୍ତି ପାଇଁ । ଉତ୍କଳେ ନାହିଁ ନେତାର ପ୍ରୟୋଜନ ଉତ୍କଳର ନେତା ସ୍ୱୟଂ ନାରାୟଣ । ଯେତେବେଳେ ଜଗନ୍ନାଥ ବିଶ୍ୱର ନେତୃତ୍ୱ ନେଉଛନ୍ତି ତାଙ୍କୁ ପ୍ରଚାର ପ୍ରସାର ବା ଚିହ୍ନାଇବାର ଆବଶ୍ୟକ ନାହିଁ । କାମିଆ ଜାନିଙ୍କୁ ଆଣି ଏଭଳି ଏକ ଅପପ୍ରଚାର କରି ଉତ୍କଳର ପରମ୍ପରା ଓ ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରିବାକୁ ଚେଷ୍ଟା କରିଥିବାରୁ ବିଜେଡି ଏଭଳି ଭାଣ୍ଡାମି ଛାଡ଼ି କ୍ଷମା ମାଗୁ । ଏଥିରେ ବିଜେପି ମଧ୍ୟ ନିଜର ପକ୍ଷ ବଦଳାଉଛି । ମୋଦି ତାଙ୍କୁ ନେଇ ପ୍ରଚାର କଲେ ଏବଂ ଏଠି ବିରୋଧ କରୁଛନ୍ତି ।"