ଭୁବନେଶ୍ବର: କର୍ଣ୍ଣାଟକରେ କଂଗ୍ରେସର ବିପୁଳ ବିଜୟ ପରେ ଏବେ ସାରା ଦେଶରେ କଂଗ୍ରେସ ଶିବିରରେ ଉତ୍ସାହର ବାତାବରଣ । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରା କଂଗ୍ରେସକୁ ଅଦ୍ଭୂତପୂର୍ବ ସଫଳତା ଆଣିଦେଇଛି । ଯଦିଓ 5ଟି ସୂତ୍ର ପାଇଁ କର୍ଣ୍ଣାଟକରେ ବିଜେପିକୁ ଧୂଳି ଚଟାଇଛି କଂଗ୍ରେସ, କର୍ଣ୍ଣାଟକ ଫଳାଫଳ 2024 ସାଧାରଣ ନିର୍ବାଚନ ପୂର୍ବରୁ କଣ ସଂକେତ ଦେଉଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଜାତୀୟ ସ୍ତରରେ ବିଜେପି ବିରୋଧୀ ଶକ୍ତି ଯେଉଁ ବିରୋଧୀ ଆଭିମୁଖ୍ୟ ପୋଷଣ କରୁଛି । ଏହି ବିଜୟ ନିଶ୍ଚିତ ଭାବେ ବିଜେପି ବିରୋଧୀ ଦଳମାନଙ୍କ ଏକାଠି ହେବାକୁ ଅଧିକ ଖୋରାକ୍ ଯୋଗାଇବ । ତେବେ ଜାତୀୟ ସ୍ତରରେ ଯେତେବେଳେ କଂଗ୍ରେସର ଉତ୍ଥାନ ଘଟୁଛି ଓଡ଼ିଶାରେ ସତ୍ତା ହରାଉଛି କଂଗ୍ରେସ ।
ରାଜ୍ୟରେ ସତ୍ତା ହରାଉଛି କଂଗ୍ରେସ! ଦଳର ସାମୂହିକ ଚେଷ୍ଟା ନଥିବା କହିଲେ ରାଜନୀତି ସମୀକ୍ଷକ - ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ
ଝାରସୁଗୁଡ଼ା ଉପନିର୍ବାଚନରେ କଂଗ୍ରେସର ପରାଜୟ ପରେ ପ୍ରତିକ୍ରିୟା ରଖିଲେ ରାଜନୀତି ସମୀକ୍ଷକ । କର୍ଣ୍ଣାଟକ କଂଗ୍ରେସରୁ ଓଡ଼ିଶା କଂଗ୍ରେସ ଶିଖିବାର ଆବଶ୍ୟକତା ରହିଥିବା ପରାମର୍ଶ । ଅଧିକ ପଢ଼ନ୍ତୁ
ରାଜ୍ୟ କଂଗ୍ରେସରେ ଏବେ ଭାଲେଣି ପଡିଛି । କେବଳ ବ୍ରଜରାଜନଗରରେ ଗତବର୍ଷ ହୋଇଥିବା ଉପନିର୍ବାଚନରେ କଂଗ୍ରେସ ଦ୍ୱିତୀୟ ସ୍ଥାନକୁ ଉଠିଥିଲା ହେଲେ ପରେ କ୍ରମାଗତ ଭାବେ ଧାମନଗର, ପଦ୍ମପୁର ,ଆଉ ଏବେ ଝାରସୁଗୁଡାରେ ଶୋଚନୀୟ ପରାଜୟ ବରଣ କରିଛି କଂଗ୍ରେସ । ଏଠି ପ୍ରଶ୍ନ ଉଠୁଛି କାହିଁକି ଉଠିପାରୁନି ରାଜ୍ୟ କଂଗ୍ରେସ । ଆଭ୍ୟନ୍ତରୀଣ ଗୋଷ୍ଠୀ ବିବାଦ, ଦୃଢ ନେତୃତ୍ବର ଅଭାବ, ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତିର ପର୍ଦ୍ଦାଫାସ କରିବାରେ ଅକ୍ଷମ ରାଜ୍ୟ କଂଗ୍ରେସ ବୋଲି ରାଜନୀତି ସମୀକ୍ଷକ ମତ ଦେଇଛନ୍ତି ।
ସେପଟେ ଝାଡ଼ସୁଗୁଡା ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି । ସେ କହିଛନ୍ତି, "ଟଙ୍କା ବଳରେ ଭୋଟର ପଳେଇଲେ । ବିଜେଡି ଏବେ କଂଗ୍ରେସ ଭୋଟ ନେଉଛି । କଂଗ୍ରେସ ଲୋକ ପୁଣି ଦଳକୁ ଫେରିଲେ ଅନ୍ୟ ଦୁଇ ଦଳ ସଫା ହୋଇଯିବେ । ବିଜେଡିର ଗୋଟିଏ ନିର୍ବାଚନ ମଣ୍ଡଳୀରେ 10 ଆଶାୟୀ ପ୍ରାର୍ଥୀ ହେଲେଣି । ଦଳ ସମସ୍ତଙ୍କୁ ସନ୍ତୁଷ୍ଟ କରିପାରିବ ନାହିଁ । ତେଣୁ ବିଜେଡି ନେତା କଂଗ୍ରେସ ଆସିବା ପାଇଁ ଇଚ୍ଛୁକ ଅଛନ୍ତି । 2024 ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର କବାଟ କିଳା ବୈଠକ ହେବ । କର୍ଣ୍ଣାଟକ କଂଗ୍ରେସରୁ ଓଡ଼ିଶା କଂଗ୍ରେସ ଶିଖିବାର ଆବଶ୍ୟକତା ରହିଛି ।"
ତେବେ ବିଧାୟକ ସୁର ରାଉତରାୟ ମଧ୍ୟ ସମାନ କଥା ଦୋହରାଇଛନ୍ତି, "ଝାରସୁଗୁଡ଼ାରେ କଂଗ୍ରେସ ଭୋଟ ବିଜେଡି ବିଜେପି ଆଡ଼କୁ ଗଲା । ବିପୁଳ ଅର୍ଥ ଦେଇ ସେମାନେ ଭୋଟ୍ କିଣିଲେ । କଂଗ୍ରେସର ସାମୂହିକ ଚେଷ୍ଟା ଦେଖିବାକୁ ମିଳିଲା ନାହିଁ । ଦଳର ବିପର୍ଯ୍ୟୟ ପାଇଁ ଆମେ ଦାୟୀ । ଆଗକୁ କଂଗ୍ରେସ ଅଧିକ ସଂଗଠିତ ହେବ ଏବଂ ଭଲ ପ୍ରଦର୍ଶନ କରିବ ।" ସେପଟେ ରାଜନୀତି ସମୀକ୍ଷକଙ୍କ ମତରେ ଜାତୀୟ ସ୍ତରରେ କେନ୍ଦ୍ରୀୟ ନେତୃତ୍ୱ ଆକର୍ଷଣରେ କଂଗ୍ରେସର ପରିବର୍ତ୍ତନ ହେଉଛି । ସେତେବେଳେ ଓଡ଼ିଶାରେ ରାଜ୍ୟ କଂଗ୍ରେସ ତଳଗାମୀ ହେଉଛି ବୋଲି ମତ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର