ଭୁବନେଶ୍ବର:ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣା । ସୁରକ୍ଷା ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । ଆଜି ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ପ୍ରଯୋଜକ ଟୁଟୁ ନାୟକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି । ଏନେଇ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ମହିଳା କଂଗ୍ରେସ ଉପସଭାନେତ୍ରୀ ରଶ୍ମି ମହାପାତ୍ର କହିଛନ୍ତି, "ନବୀନ ସରକାରଙ୍କ ମା’କୁ ସମ୍ମାନ ଆହ୍ୱାନ ପ୍ରତାରଣାପୂର୍ଣ୍ଣ ହୋଇଛି । ମହିଳା ସଶକ୍ତିକରଣ ନାମରେ ଯେଉଁ ଡିଣ୍ଡିମ ପିଟାଯାଉଛି କାର୍ଯ୍ୟ କ୍ଷେତ୍ରରେ ତାହା ପ୍ରତିଫଳିତ ହେଉନାହିଁ ।"
ସେ ଆହୁରି ମଧ୍ୟ କହିଛନ୍ତି, "ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ସର୍ବସାଧାରଣରେ ଏବଂ ସମସ୍ତ ସାମ୍ବାଦିକମାନଙ୍କ ଉପସ୍ଥିତିରେ ଯେଭଳି ଭାବରେ ଚାପୁଡ଼ା ମାରିଥିଲେ ତାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଏହା ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ଉପରେ ଆକ୍ରମଣ କହିଲେ ଅତ୍ୟୁକ୍ତି ହେବନାହିଁ । ଅନ୍ୟପକ୍ଷରେ ପ୍ରଯୋଜକ ଟୁଟୁ ନାୟକ ଜଣେ ମହିଳା ସାମ୍ବାଦିକଙ୍କୁ ଯେଭଳି ଭାବରେ ଅପମାନିତ କରିଛନ୍ତି ସେଥିପାଇଁ ତାଙ୍କ ଉପରେ ଦୃଷ୍ଟାନ୍ତମୂଳକ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ତୁରନ୍ତ ନେବା ଆବଶ୍ୟକ । ଯଦି ବା ପୋଲିସ ପକ୍ଷରୁ ଟୁଟୁ ନାୟକଙ୍କୁ ଗିରଫ କରାଯାଇଛି ତାଙ୍କ ଉପରେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହାକୁ ଦେଖିବା ପାଇଁ ରାଜ୍ୟବାସୀ ଅପେକ୍ଷା କରିଛନ୍ତି ।"