ଭୁବନେଶ୍ବର:ତେଜିଲା ଖଣି ଦୁର୍ନୀତି ରାଜନୀତି । ଶାସକ ଦଳ ବିରୋଧରେ ଅଭିଯୋଗ ଆଣି ସିବିଆଇ ତଦନ୍ତ ଦାବି କରିଛି ବିଜେପି । ଆଉ ଏହାକୁ କାଉଣ୍ଟର କରି ବିଜେଡି କହିଛି, "ବିରୋଧୀଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ । ସେପଟେ କଂଗ୍ରେସ ଚିରାଚରିତ ଢଙ୍ଗରେ କହିଛି, "ଉଭୟଙ୍କ ଭିତରେ ରହିଛି ସମ୍ପର୍କ, କୌଣସି ଫଳ ମିଳିବ ନାହିଁ ।" ଏହିପରିଭାବେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିରୋଧରେ ସ୍ୱରକୁ ଶାଣିତ କରୁଛନ୍ତି ବିରୋଧୀ । ବିଜେପି ଏବଂ କଂଗ୍ରେସ ପୁଣି ଉଠାଇଛନ୍ତି ଖଣି ଦୁର୍ନୀତି ପ୍ରସଙ୍ଗ ।
"ରାଜ୍ୟ ସରକାର ବ୍ୟାପକ ଭାବେ ଖଣି ଦୁର୍ନୀତି କରିଛନ୍ତି । ଖଣି ଦୁର୍ନୀତିର ସିବିଆଇ ତଦନ୍ତ କରାଯାଉ" ବୋଲି ଦାବି କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଓଡ଼ିଶାରେ ୯ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଥିବା ନେଇ ବିଜେପି ଅଭିଯୋଗ ଆଣିଛି। ସେପଟେ ଶାସକ ଦଳ କହିଛି ବିରୋଧୀଙ୍କ ପାଖରେ କିଛି ପ୍ରସଙ୍ଗ ନାହିଁ । ସେ ଖାଲି ଅଭିଯୋଗ କରନ୍ତି । ତାଙ୍କ କାମ କହିବା।"
ଅନ୍ୟପଟେ ଏହି ପ୍ରସଙ୍ଗରେ ମତ ରଖିଛି କଂଗ୍ରେସ । ରାଜ୍ୟ କଂଗ୍ରେସ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, "ବିଜେପି ସିବିଆଇ ତଦନ୍ତ ଦାବି କରିବା ବୃଥା । କାରଣ ଓଡି଼ଶା ବିଧାନସଭାର ପବ୍ଲିକ ଆକାଉଣ୍ଟ କମିଟି ରହିଛି ଏବଂ ଏହି କମିଟିର ଅଧ୍ୟକ୍ଷ ମଧ୍ୟ ବିଜେପି ଦଳର ନେତା ଅଛନ୍ତି । ସିଏ ଚାହିଁଲେ ଅଭିଯୋଗର ପରୀକ୍ଷା ନିରୀକ୍ଷା କରି ଏହାର ରିପୋର୍ଟ ବିଧାନସଭାକୁ ଦେଇପାରିବେ । ଅନ୍ୟପଟେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ବିଜେପି ନେତା ଅଭିଯୋଗ ମଧ୍ୟ କରିସାରିଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ଏହାର ଫଳ ରାଜ୍ୟକୁ କ'ଣ ମିଳିଛି ?" ବୋଲି ପ୍ରଶ୍ନ କରିଛି କଂଗ୍ରେସ ।