ଭୁବନେଶ୍ବର:ଶିଳ୍ପପତି ଆଦାନୀଙ୍କ ଆର୍ଥିକ ଅନିୟମିତତା ନେଇ ଆଜି ଗର୍ଜିଛି କଂଗ୍ରେସ । ଭୁବନେଶ୍ବର IRC ଭିଲେଜ ଇନ୍ଦ୍ରଧନୁ ମାର୍କେଟ ନିକଟସ୍ଥ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ସମ୍ମୁଖରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆଦାନୀଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିବା ଯୋଗୁଁ ଏପରି ବଡ଼ ଧରଣର ଜାଲିଆତି ହୋଇଥିବା ଦଳ ଅଭିଯୋଗ କରିଛି । ଏଣୁ ଘଟଣାର ସତ୍ୟାସତ୍ୟ ଜାଣିବା ଲାଗି ଜେପିସି ତଦନ୍ତ କରାଯାଉ ବୋଲି କଂଗ୍ରେସ ଦାବି କରିଛି ।
କଂଗ୍ରେସର ଅଭିଯୋଗ ଅନୁସାରେ ଶିଳ୍ପପତି ଆଦାନୀ ଜାଲିଆତି କରି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ LICରୁ କୋଟି କୋଟି ଟଙ୍କା ନେଇଛନ୍ତି ଯାହା ପାଇଁ ଆଜି ସେୟାର ମାର୍କେଟ ପ୍ରଭାବିତ ହୋଇଛି । ଏହାର ପ୍ରତିବାଦ ସ୍ବରୂପ କଂଗ୍ରେସ ପକ୍ଷରୁ ଗଣ ବିକ୍ଷୋଭ ଡାକରା ଦିଆଯାଇଛି । ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ଏସବିଆଇ ସମ୍ମୁଖରେ ଧାରଣା ଦେଇଥିଲେ । ହିଣ୍ଡେନବର୍ଗ ରିପୋର୍ଟ ଆସିଲା ପରେ ଆଦାନୀଙ୍କ ଆର୍ଥିକ ଘୋଟାଲାର ପର୍ଦ୍ଦାଫାଶ ହୋଇଛି । ଆଦାନୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଯେଉଁ ମଧୁ ଚନ୍ଦ୍ରିକା ରହିଛି ତାହା ପଦାରେ ପଡ଼ିଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।
ଏଥିଲାଗି ସାରା ଦେଶରେ କଂଗ୍ରେସ ପ୍ରତିବାଦ ଜାରି ରଖିଛି । ଏହି ଘଟଣାରେ ଜେପିସି ତଦନ୍ତ ଲାଗି ଦଳ ଦାବି କରିଛି । ସରକାର କାହିଁକି jpc ତଦନ୍ତକୁ ଗ୍ରହଣ କରିନାହାଁନ୍ତି , ଯେପର୍ଯ୍ୟନ୍ତ ଏହି ତଦନ୍ତ ହୋଇନାହିଁ ସେ ପର୍ଯ୍ୟନ୍ତ କଂଗ୍ରେସ କ୍ରମାଗତ ଭାବେ ପ୍ରତିବାଦ ଜାରି ରଖିବା ବୋଲି କହିଛି । କଂଗ୍ରେସ ସରକାର ସମୟରେ ହର୍ଷଦ ମେହଟା ଆର୍ଥିକ ଘୋଟଲା ହୋଇଥିଲା, ତତ୍କାଳୀନ ପ୍ରଧାନମନ୍ତ୍ରୀ ନରସିଂହ ରାଓ ଜେପିସି ତଦନ୍ତ ପାଇଁ ଅନୁମତି ଦେଇଥିଲେ। ଏବେ କେନ୍ଦ୍ର ସରକାର କାହିଁକି ଅନୁମତି ଦେଉ ନାହାଁନ୍ତି ବୋଲି ଦଳ ପ୍ରଶ୍ନ କରିଛି ।