ଭୁବନେଶ୍ବର: ଅଘୋଷିତ ବିଦ୍ୟୁତ୍ କାଟ୍ ଏବଂ ଅହେତୁକ ବିଦ୍ୟୁତ୍ ଦରବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଗ୍ରୀଡ୍କୋ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଭୁବନେଶ୍ବର ସହିଦ ନଗରସ୍ଥିତ ଗ୍ରୀଡ୍କୋ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ କାର୍ଯ୍ୟାଳୟ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ । ମୁଖ୍ୟ ରାସ୍ତା ଅବରୋଧ କଲେ କଂଗ୍ରେସ କର୍ମୀ । କିଛି ସମୟ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା । ମାଷ୍ଟରକ୍ୟାଣ୍ଟିନ୍ରୁ ବାଣୀବିହାର ଆସୁଥିବା ଗାଡ଼ି ଗୁଡ଼ିକ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ଆଗରେ ଅଟକି ରହିଥିଲା । ଫଳରେ ରୂପାଲି ଛକରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା । ଆନ୍ଦୋଳନରେ ଛାତ୍ର, ଯୁବ ଓ ମହିଳା କଂଗ୍ରେସ କର୍ମୀଙ୍କ ସହିତ ପ୍ରଦେଶ କଂଗ୍ରେସର ବହୁ ନେତା ସାମିଲ ହୋଇଥିଲେ ।
ବିକ୍ଷୋଭ ବେଳେ ରାଜ୍ୟରେ ଉପଭୋକ୍ତା ମାନେ ବକେୟା ବିଲ ଦିଅନ୍ତୁ ନାହିଁ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଲୋକଙ୍କ ସ୍ବାର୍ଥ ପାଇଁ କଂଗ୍ରେସ ହେଲ୍ପ୍ ଲାଇନ୍ ଖୋଲିବ ବୋଲି ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି, "୨୪ ବର୍ଷ ଶାସନରେ ରହି କିଛି କରିପାରିଲେ ନାହିଁ । ଭୁତଳ ବିଦ୍ୟୁତ ବ୍ୟବସ୍ଥା ଯଦି କରିଥାନ୍ତେ, ତାହେଲେ ଏପ୍ରକାର ଅବସ୍ଥା ହୋଇନଥାନ୍ତା । ବିଜେଡି ସରକାରର ଦୂରଦୃଷ୍ଟି ନାହିଁ । ପ୍ରତିବାଦ ଜୋରଦାର ହେବ । ବିଜୁଳି କାଟ ବନ୍ଦ ହେଉ । ବିଦ୍ୟୁତ ବିଲ ଗୋଟିଏ ଡେଟରେ ଦିଆଯାଉ । ସରକାର ନଶୁଣିଲେ ଜିଲ୍ଲାସ୍ତରରୁ ବ୍ଲକ ଓ ପଞ୍ଚାୟତସ୍ତରରେ ଏ ଆନ୍ଦୋଳନ ତୀବ୍ରତର ହେବ । ସାଧାରଣ ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଲାଗି କଂଗ୍ରେସ ଗାଁ ଗାଁକୁ ଯିବ । ଭିତ୍ତିଭୂମି ପାଇଁ ୨୦ ହଜାର କୋଟି ଟଙ୍କା ବ୍ୟୟ ହୋଇଛି । ଟାଟା କମ୍ପାନୀ ୫ ହଜାର କୋଟି ଖର୍ଚ୍ଚ କରିଛି ।" ତେବେ ଆଉ ୧୫ ହଜାର କୋଟି ଟଙ୍କାର ବିବରଣୀ ନେଇ ସରକାର ଏକ ଶ୍ବେତପତ୍ର ଜାରି କରନ୍ତୁ ବୋଲି ପିସିସି ସଭାପତି ଦାବି କରିଛନ୍ତି ।