ଭୁବନେଶ୍ବର:ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଛକଠାରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ । ମୋଦିଙ୍କ ସମେତ ବିଜେପିର ବିଭିନ୍ନ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା କଂଗ୍ରେସ । ରାହୁଲ ଗାନ୍ଧୀଙ୍କ ପ୍ରତି ବିଜେପିର ଆପତ୍ତିଜନକ ମନ୍ତବ୍ୟ ଓ ତାଙ୍କୁ ରାବଣ ରୂପେ ଚିତ୍ରଣ କରିବାକୁ କେନ୍ଦ୍ରକରି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିକ୍ଷୋଭ ଯୋଗୁଁ ମାଷ୍ଟରକ୍ୟାଣ୍ଟିନ ଛକରେ କିଛି ସମୟ ପାଇଁ ଟ୍ରାଫିକ୍ ଜାମ ରହିବାରୁ ସାଧାରଣ ଲୋକେ ହନ୍ତସନ୍ତ ହୋଇଛନ୍ତି ।
ସେପଟେ ଏହି ଘଟଣାକୁ ନେଇ କଂଗ୍ରେସ ମିଡିଆ ସେଲ୍ ଚେୟାରମ୍ୟାନ ଗଣେଶ୍ୱର ବେହେରାଙ୍କ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ବିଜେପି ତରଫରୁ ସାମାଜିକ ଗଣମାଧ୍ୟମରେ କିଛି ବ୍ୟଙ୍ଗ ଚିତ୍ର ରାହୁଲ ଗାନ୍ଧୀଙ୍କୁ ଆକ୍ଷେପ କରାଯାଇଥିବା ଦେଖିବାକୁ ମିଳିଥିଲା ଯାହାକୁ ନେଇ କଂଗ୍ରେସର ପକ୍ଷରୁ ବିରୋଧ ଆରମ୍ଭ ହୋଇଛି ।
ଶୁକ୍ରବାର ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଭାପତି ବିଶ୍ବଜିତ ଦାଶଙ୍କ ନେତୃତ୍ୱରେ ମୋଦି ସରକାରଙ୍କ ଘୃଣା ଓ ହିଂସା ରାଜନୀତି ପ୍ରତିବାଦରେ ବିକ୍ଷୋଭ କରାଯାଇଥିଲା । ବିଜେପି ପକ୍ଷରୁ ରାହୁଲ ଗାନ୍ଧୀଙ୍କର ଛବିକୁ ମଳିନ କରିବା ପାଇଁ ସାମାଜିକ ଗଣମାଧ୍ୟମରେ ଯେଉଁ ହୀନ ଉଦ୍ୟମ କରାଯାଇଛି ତାହାକୁ ଭୁବନଶ୍ୱେର ଜିଲ୍ଲା କଂଗ୍ରେସ ଦୃଢ଼ ନିନ୍ଦା କରିଛନ୍ତି । ରାହୁଲ ଗାନ୍ଧୀଙ୍କୁ ରାବଣ ରୂପେ ଚିତ୍ରଣ କରିବା ଘୃଣା, ହିଂସା ଓ ଇର୍ଷା ରାଜନୀତିର ଉଦାହରଣ ବୋଲି ଜିଲ୍ଲା କଂଗ୍ରେସ ସଭାପତି କହିଛନ୍ତି ।