ଭୁବନେଶ୍ବର: ରାଜ୍ୟରେ ଅଘୋଷିତ ବିଦ୍ୟୁତ୍ କାଟ୍ ନେଇ ରାଜନୀତି ଜୋର ଧରିଛି । ଏହାକୁ ନେଇ ରାଜ୍ୟ ସରକାର ଓ ବିଦ୍ୟୁତ୍ ବିତରଣ ସଂସ୍ଥା ଟାଟା ପାୱାର୍କୁ ବାରମ୍ବାର ଘେରୁଛନ୍ତି ବିରୋଧୀ । ଆଜିଠାରୁ ବିଜେପି ରାଜ୍ୟର ସମସ୍ତ ଗ୍ରୀଡ୍କୋ ଅଫିସ୍ ସମ୍ମୁଖରେ ୨ ଦିନିଆ ଧାରଣାରେ ବସିଛି । ସେପଟେ କଂଗ୍ରେସ ମଧ୍ୟ ୧୯ ତାରିଖରେ ଭୁବନେଶ୍ବରସ୍ଥିତ ଗ୍ରୀଡ୍କୋ ଅଫିସ ଘେରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ପରେ ଏହି ଆନ୍ଦୋଳନକୁ ସମସ୍ତ ଜିଲ୍ଲା ଗୁଡିକରେ ବ୍ୟାପକ କରିବା ନେଇ ମଧ୍ୟ ଚେତାବନୀ ଦେଇଛନ୍ତି ପିସିସି ସଭାପତି ।
ପିସିସି ସଭାପତି କହିଛନ୍ତି, "ଯେତେବେଳେ ସାରା ରାଜ୍ୟରେ ଅସହ୍ୟ ତାତି, ସେତେବେଳେ ଅଘୋଷିତ ବିଜୁଳି କାଟ୍କୁ ସହି ହେଉନି । ଶକ୍ତିମନ୍ତ୍ରୀ କହୁଛନ୍ତି ଭିତ୍ତିଭୂମି ଦୁର୍ବଳ, ତେବେ ବିଜୁଳି ଭିତ୍ତିଭୂମି ସଜାଡିବାକୁ ରାଜ୍ୟ ସରକାର ୧୩ ହଜାର କୋଟି ଟଙ୍କା ଓ କେନ୍ଦ୍ର ସରକାର ୭ ହଜାର କୋଟି ଟଙ୍କା ଦେଇଛନ୍ତି । ଏଥି ମଧ୍ୟରୁ ୫ ହଜାର କୋଟି ଟଙ୍କା ଟାଟାକୁ ଦିଆଯାଇଛି । ଆଉ ୧୫ ହଜାର କୋଟି କୁଆଡେ ଗଲା ? ସେହି ୧୫ ହଜାର କୋଟି ଖର୍ଚ୍ଚ ହୋଇଥିଲେ ହୁଏତ ସ୍ଥିତି ସୁଧୁରି ଥାଆନ୍ତା । ଗ୍ରାମାଞ୍ଚଳରେ ବିଦ୍ୟୁତ୍ କାଟ୍ ସ୍ଥିତି ଅସମ୍ଭାଳ । ସରକାର ଶ୍ବେତପତ୍ର ଜାରି କରନ୍ତୁ, କେଉଁଠି କେତେ ଟଙ୍କା ଖର୍ଚ୍ଚ ହୋଇଛି । ଜୋର୍ ଜବରଦସ୍ତ ବିଦ୍ୟୁତ୍ ବିଲ ସଂଗ୍ରହ କରାଯାଉଛି । ଭିନ୍ନ ଭିନ୍ନ ତାରିଖରେ ବିଲ ସଂଗ୍ରହ କରି ଚଞ୍ଚକତା କରୁଛି ଟାଟା ପାୱାର । ବିଜୁଳି କାଟିବାର ଧମକ ଦେଖାଇ ଲୋକଙ୍କୁ ଶୋଷଣ କରାଯାଉଛି । ଏହା ତୁରନ୍ତ ବନ୍ଦ କରି ଗୋଟିଏ ତାରିଖରେ ବିଲ ସଂଗ୍ରହ କରାଯାଉ । ସରକାର ବିଧାନସଭାରେ ଉତ୍ତର ରଖିଥିଲେ ଗତ ୧୦ ବର୍ଷରେ ପ୍ରାୟ ୨୦ ହଜାର କୋଟି ଟଙ୍କା ଭିତ୍ତିଭୂମି ପାଇଁ ଖର୍ଚ୍ଚ ହୋଇଛି । ଯଦି ଖର୍ଚ୍ଚ ହୋଇଛି, ତାହେଲେ ଭିତ୍ତିଭୂମି ଦୁର୍ବଳ କାହିଁକି ?"