ଭୁବନେଶ୍ବର: ଜାଗା ମିଶନ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ । କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ଏଥିରେ ପିସିସି ସଭାପତି ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ତେବେ ଜାଗା ମିଶନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ଯଦି ସରକାର ଏନେଇ ସ୍ବଚ୍ଛତା ଅବଲମ୍ବନ ନକରିବେ, ତାହେଲେ ବାଧ୍ୟ ହୋଇ କଂଗ୍ରେସ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସୂଚନା ଦେଇଛି ।
କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, "ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ସାରା ଓଡ଼ିଶାରେ ୧୮ ଲକ୍ଷ ଲୋକ ବସ୍ତିରେ ବସବାସ କରନ୍ତି । ରାଜ୍ୟ ସରକାର ବସ୍ତି ଲୋକଙ୍କୁ ଜାଗା ମିଶନ ଜରିଆରେ ଜାଗା ଯୋଗାଇ ଦେଉଥିବା କହୁଛନ୍ତି । ହେଲେ ପ୍ରକୃତ ହିତାଧିକାରୀ ବଦଳରେ ଏଥିରେ ଦଳୀୟ କର୍ମୀ ଜାଗା ପାଉଛନ୍ତି । ବସ୍ତିର ବିକାଶ ପାଇଁ ତଥା ସହରାଞ୍ଚଳର ବିକାଶ ପାଇଁ ଉପା ସରକାର (କଂଗ୍ରେସ ସରକାର) ସମୟରେ ଯୋଜନା କରାଯାଇଥିଲା । ରାଜୀବ ଆବାସ ଯୋଜନାରେ ବସ୍ତି ଲୋକଙ୍କୁ ଘର ଯୋଗାଇ ଦେବା ପାଇଁ ସରକାର ନିଷ୍ପତି ନେଇଥିଲେ । ଉପା ସରକାର ଯିବା ପରେ ଏହାର ନାମ ପରିବର୍ତ୍ତନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରିଦିଆଗଲା । ଓଡ଼ିଶା ସରକାର ବସ୍ତି ଲୋକଙ୍କୁ ଜମି ଦେବା ପାଇଁ ଜାଗା ମିଶନ ଆରମ୍ଭ କଲେ ।"