ଭୁବନେଶ୍ବର: ଚଳିତ ମାସ ୨୧ ତାରିଖରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ । ଏହି ସମୟରେ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲା ବିଧାନସଭାରେ ଉଠିବ । ଏହି ହତ୍ୟାକାଣ୍ଡ ଘଟଣାକୁ ବିଧାନସଭାରେ ଉଠାଇବ କଂଗ୍ରେସ । କିଭଳି ଏହି ଘଟଣା ଘଟିଗଲା ଓ ଗୁଇନ୍ଦା ବିଭାଗ କଣ କରୁଥିଲା ଏହି ବିଷୟରେ ଚର୍ଚ୍ଚା କରିବ କଂଗ୍ରେସ । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ।
ନବ ଦାସଙ୍କ ହତ୍ୟାକାଣ୍ଡ ନେଇ ରାଜ୍ୟରେ ରାଜନୈତିକ ବୟାନବାଜି ଜାରି ରହିଛି । ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଏହି ଘଟଣାରେ ସୋମବାର ବିସ୍ଫୋଟକ ବୟାନ ଦେଇଛନ୍ତି । ନବଙ୍କ ବିଜ୍ନେସ୍ ପାଇଁ ତାଙ୍କୁ ରାଜନୈତିକ ହତ୍ୟା କରାଯାଇଛି ଓ ଏଥିରେ ଉପକୂଳ ଓଡ଼ିଶାର ଜଣେ ବିଜେଡି ନେତାଙ୍କ ହାତ ଥିବା କହିଛନ୍ତି ସୁବାସ । ସେହିଭଳି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ଏଥିରେ କ୍ରାଇମବ୍ରାଞ୍ଚ ପ୍ରକୃତ ହତ୍ୟାକାରୀଙ୍କୁ ଧରିପାରିବନି ବୋଲି କହିଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକ ଏହି ଘଟଣାରେ ଗୃହ ବିଭାଗରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ସେପଟେ କଂଗ୍ରେସ ବିଧାୟକ ସୁର ରାଉତରକାୟ କହିଛନ୍ତି, "ନବ ଦାସ ହତ୍ୟାକାଣ୍ଡ ପଛରେ ବିରାଟ ଷଡଯନ୍ତ୍ର କରାଯାଇଛି । ବେପାର ବଣିଜ କଥା ସହ ପଲିଟିକାଲ କଥା ମଧ୍ୟ ଉଠୁଛି । ଏବେ ଯେଉଁ ତଦନ୍ତ କରାଯାଉଛି ସେଥିରେ ବିଶ୍ବାସ ନାହିଁ । ଜଷ୍ଟିସ ଜେପି ଦାସ ଯଦି ତଦନ୍ତ ନକରି ତଦାରଖ କରିବେ, ତାହେଲେ କିଛି ହେବନି । ସବୁ ପାଣିର ଗାର ହୋଇଯିବ ।"