ଭୁବନେଶ୍ବର: ବୁଥ, ୱାର୍ଡ, ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲାସ୍ତରରେ ସଂଗଠନକୁ ଶାଣିତ କରି ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବ କଂଗ୍ରେସ । ପ୍ରଦେଶ କଂଗ୍ରେସର ନବକଳେବର ସରିଛି । ଶୃଙ୍ଖଳା, ଇସ୍ତାହାର ଏବଂ ଅନ୍ୟାନ୍ୟ କମିଟି ଘୋଷଣା କରିଛି AICC । ୯ରୁ ୯୦ ଲକ୍ଷ୍ୟ ନେଇ କଂଗ୍ରେସ ତାର ଷ୍ଟ୍ରାଟେଜି ପ୍ଲାନ କରୁଛି । ଖୁବଶୀଘ୍ର ରାଜ୍ୟରେ କଂଗ୍ରେସ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବ । ବୁଥରୁ ୱାର୍ଡ, ପଞ୍ଚାୟତ, ବ୍ଲକ, ଜିଲ୍ଲାସ୍ତରରେ କାର୍ଯ୍ୟକ୍ରମ କରିବ କଂଗ୍ରେସ । ଏହି ସବୁ ଯୋଜନା ପାଇଁ ବସିବ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ରଜ ପରେ ୨୨ କିମ୍ବା ୨୩ ତାରିଖରେ ବସିପାରେ କଂଗ୍ରେସର ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ।
ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ନୂଆ କମିଟିର ପ୍ରଥମ କାର୍ଯ୍ୟକାରିଣୀ ଭୁବନେଶ୍ବରରେ ବସିବ । ଏଥିରେ ରାଜ୍ୟ ପ୍ରଭାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଏହି କାର୍ଯ୍ୟକାରିଣୀ ଖୁବ ଗୁରୁତ୍ବ ବହନ କରୁଛି । ଶାସକ ବିଜେଡି, ବିରୋଧୀ ବିଜେପିକୁ କାଉଣ୍ଟର କରିବାକୁ କଂଗ୍ରେସ ତୃଣମୂଳ ସ୍ତରରୁ ସଂଗଠନକୁ ସଜାଡି ରାଜ୍ୟରେ ଜନାଦୃତ ହେବାପାଇଁ ଅଣ୍ଟା ଭିଡୁଛି । ବିଶେଷ କରି ୯ରୁ ୯୦ ଲକ୍ଷ୍ୟ ରଖି କଂଗ୍ରେସ ଆଗକୁ ବଢିବ । କର୍ଣ୍ଣାଟକ ନିର୍ବାଚନରେ ଅଭୂତପୂର୍ବ ସଫଳତା ମିଳିବା ପରେ କଂଗ୍ରେସ ଶିବିରରେ କ୍ଷମତା ଦଖଲ କରିବାର ଆଶା ସଞ୍ଚାର ହୋଇଛି ।