ଭୁବନେଶ୍ବର:ପଦ୍ମକେଶରୀପୁରରେ ଶାନ୍ତି ଫେରାଇ ଆଣିବା ପାଇଁ କଂଗ୍ରେସର ଅପିଲ । ଏକ ଶାନ୍ତି କମିଟି ଗଠନ କରିବାକୁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପୋଲିସ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରିଛି । ଏନେଇ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶଙ୍କ ନିର୍ଦ୍ଦେଶକ୍ରମେ ବରିଷ୍ଠ ବ୍ଲକ କଂଗ୍ରେସ ସଭାପତି ଅଶୋକ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ପୋଲିସ କମିଶନରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ସୂଚନା ଅନୁସାରେ, ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମଞ୍ଚେଶ୍ବର ଥାନା ଅଧୀନରେ ଥିବା ଇଂଜଣା ଗ୍ରାମ ପଞ୍ଚାୟତର ପଦ୍ମକେଶରୀପୁରରେ ଗତ ପଞ୍ଚାୟତ ନିର୍ବାଚନ ପରବର୍ତ୍ତୀ ସମୟରେ ଘଟିଥିବା ହିଂସାର ସମାଧାନ ହୋଇନଥିଲା । ଏହି ହିଂସା ଆଜି ଗୋଷ୍ଠୀ ସଂଘର୍ଷରେ ପରିଣତ ହୋଇଛି । ପ୍ରାୟ ୧ ମାସ ତଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ତତ୍କାଳୀନ ଥାନା ଅଧିକାରୀ କିଛି ବ୍ୟକ୍ତିଙ୍କୁ ଗିରଫ କରି ଜେଲ ପଠାଇଥିଲେ । ଏହି ଦଶହରା ସମୟରେ ଗିରଫ ହୋଇଥିବା ବ୍ୟକ୍ତିମାନେ ଜାମିନରେ ଆସିବା ପରେ ପୁଣି ଥରେ ବଡ଼ଧରଣର ଗୋଷ୍ଠୀ ସଂଘର୍ଷ ଘଟିଛି । ବୋମା ମାଡ଼, ଟେକାପଥର ମାଡ଼, ରକ୍ତାକ୍ତ ସଂଘର୍ଷ ପରେ ପୋଲିସ ପ୍ରାୟ ୭୭ ଜଣଙ୍କୁ ଗିରଫ କରିଛି । ପୋଲିସ ଗିରଫଦାରୀ ଭୟରେ ଗ୍ରାମ ପୁରୁଷ ଶୂନ୍ୟ ହୋଇପଡ଼ିଛି ।
"ଏହି ହିଂସାକାଣ୍ଡକୁ ପ୍ରାୟ ମାସେ ବିତିଯାଇଥିଲେ ବି ଆଜି ପର୍ଯ୍ୟନ୍ତ ଏହାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପୋଲିସ କିମ୍ବା ପ୍ରଶାସନ ତରଫରୁ କୌଣସି ଉଦ୍ୟମ କରାଯାଇନାହିଁ । ଯାହାଫଳରେ ଏ ଘଟଣାର ପୁନରାବୃତ୍ତି ଘଟୁଛି । ଏଭଳି ହିଂସାଦ୍ୱାରା ଗ୍ରାମର ମହିଳା ଓ ଶିଶୁମାନେ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି । କେବଳ ଗିରଫଦାରୀ ଏହାର ଏକ ସ୍ଥାୟୀ ସମାଧାନ ଆଦୌ ନୁହେଁ । ପୋଲିସ ପ୍ରଶାସନକୁ ଅନୁରୋଧ କରୁଛୁ କି ତୁରନ୍ତ ଏକ ଶାନ୍ତି କମିଟି ଗଠନ କରାଯାଉ । ଯେଉଁଥିରେ ସାହି ମୁରବୀ, ଗାଁ ମୁଖିଆ, ଆଖପାଖ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ପ୍ରଶାସନିକ ଅଧିକାରୀମାନେ ସଭ୍ୟ ଭାବରେ ରହି ଏହାର ଏକ ସ୍ଥାୟୀ ଓ ଶାନ୍ତିପୂର୍ଣ୍ଣ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରନ୍ତୁ" ବୋଲି କହିଛି କଂଗ୍ରେସ ।
ଏହା ବି ପଢନ୍ତୁ...ଇଞ୍ଜଣା ପଦ୍ମକେଶରପୁର ଦଙ୍ଗା ଘଟଣା: ପୁଣି ୭୭ ଗିରଫ, ପୂର୍ବରୁ ଗିରଫ ହୋଇଥିଲେ ୧୨ ଜଣ