ଭୁବନେଶ୍ବର:ଝାରସୁଗୁଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କରିଛି । ସାଧାରଣ ନିର୍ବାଚନ ପୂର୍ବରୁ ଏହା ବହୁ ଗୁରୁତ୍ବ ବହନ କରୁଛି । କାହା ସପକ୍ଷରେ ଯିବ ଜନତାଙ୍କ ମୁଡ୍ ତାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିଜେଡି, ବିଜେପି ଏବଂ କଂଗ୍ରେସ ଦଳ ପାଇଁ ଏହା ବଡ଼ ଚ୍ୟାଲେଞ୍ଜ । ତେବେ ବିଜେଡି ପକ୍ଷରୁ ପ୍ରତି ୱାର୍ଡ, ପଞ୍ଚାୟତ, ବ୍ଲକରେ ନେତାଙ୍କୁ ଦାୟିତ୍ବ ଦିଆଯାଇଥିବା ବେଳେ କଂଗ୍ରେସ ମଧ୍ୟ ଝାରସୁଗୁଡ଼ାର ୪ଟି ଜିଲ୍ଲା ପରିଷଦ ଜୋନରେ ୪ଜଣ ବିଧାୟକଙ୍କୁ ଦାୟିତ୍ବ ଦେଇଛି ।
ଝାରସୁଗୁଡ଼ା ମ୍ୟୁନିସପାଲିଟିକୁ ତଦାରଖ କରିବା ସହ କଂଗ୍ରେସ ପାଇଁ ନିର୍ବାଚନ ପରିଚାଳନା କରିବେ ଜଣେ ବରିଷ୍ଠ ବିଧାୟକ । ଏଭଳି ସୂଚନା ଦେଇଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ। ମ୍ୟୁନିସପାଲିଟିର ପ୍ରତିଟି ୱାର୍ଡରେ ଜଣେ ନେତାଙ୍କୁ ଦାୟିତ୍ବ ଦିଆଯାଇଛି । ସେହିପରି ୪୦ଟି ପଞ୍ଚାୟତକୁ ୨-୨ଜଣ ନେତା ଜଗିବେ । ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା AICC ଚୂଡାନ୍ତ କରିସାରିଛି । ଖୁବଶୀଘ୍ର ଏନେଇ ଘୋଷଣା ହେବ। ପିସିସି ସଭାପତି ଝାରସୁଗୁଡ଼ା ନିର୍ବାଚନରେ ପ୍ରଚାର ମଙ୍ଗ ଧରିବେ । ଦିଲ୍ଲୀରୁ ମଧ୍ୟ AICC ପକ୍ଷରୁ କିଛି ବରିଷ୍ଠ ନେତା ଝାରସୁଗୁଡ଼ା ଉପନିର୍ବାଚନରେ ପ୍ରଚାର କରିବାର ସମ୍ଭାବନା ରହିଛି ।
ଏହା ବି ପଢନ୍ତୁ-Jharsuguda By Poll: ଦଳ ନୁହେଁ, ଭୋଟ ଆଣନ୍ତି ପ୍ରାର୍ଥୀ !
ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନଙ୍କ ସମେତ ବରିଷ୍ଠ ନେତାମାନେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । କିଛି ସମୟ ପୂର୍ବରୁ କଂଗ୍ରେସ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ନିକଟରେ ତାଙ୍କ ପିତା ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ଦେହାନ୍ତ ହୋଇଥିଲା । ଭୁତପୂର୍ବ ବିଧାୟକ ବୀରେନ୍ଦ୍ର ପାଣ୍ଡେ ୩ଥର ଝାରସୁଗୁଡ଼ାରୁ ବିଧାୟକ ହୋଇଥିଲେ । ୧୯୮୦ରୁ ୧୯୮୫, ୧୯୮୫ରୁ ୧୯୯୦ ଏବଂ ୧୯୯୫ରୁ ୨୦୦୦ ପର୍ଯ୍ୟନ୍ତ ବୀରେନ୍ଦ୍ର ବିଧାୟକ ଥିଲେ। ଝାରସୁଗୁଡା ପାଇଁ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରିଥିଲେ। ତେଣୁ ତରୁଣ ସିମ୍ପାଥି ଭୋଟ ପାଇପରନ୍ତି।