ଭୁବନେଶ୍ବର: ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଆଲୋଚନା କରିଛନ୍ତି । ପୁରୀରେ ଶ୍ରୀଜଗନ୍ନାଥ ବିମାନ ବନ୍ଦର ନେଇ ଦାବି ବିଷୟରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ନବୀନ ଗଣମାଧ୍ୟମକୁ କହିଥିଲେ । ଏଠାରେ ବିଜେଡି ତୃତୀୟ ସାସାମ୍ମୁଖ୍ୟରେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ନବୀନ । ତେବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ତୁରନ୍ତ ଦିଲ୍ଲୀ ଯାଇ ମୋଦୀଙ୍କୁ ଭେଟିବା ଓ ପରେ ତୃତୀୟ ସାମ୍ମୁଖ୍ୟ ସହ ଆମେ ନାହୁଁ ବୋଲି କହିବା ନବୀନଙ୍କ ମୋଦୀ ପ୍ରୀତିକୁ ପଦାରେ ପକାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ନବୀନଙ୍କ ସମଦୂରତା ଉପାଖ୍ୟାନକୁ ମନେ ପକାଇବା ସହ ବିଜେଡିକୁ CBI ଏବଂ ED ଭୟ ଘାରିଛି ବୋଲି କଂଗ୍ରେସ ବିଧାୟକ ତାରା ବାହିନୀପତି ଅଭିଯୋଗ କରିଛନ୍ତି ।
ତାରା କହିଛନ୍ତି, "ନବୀନ ବାବୁ ନୀତିଶ କୁମାରଙ୍କୁ ଭେଟିବା ପରେ ବିଜେପି କଟାକ୍ଷ କରିବାରୁ ନବୀନ ବାବୁ ଦିଲ୍ଲୀ ଧାଇଁଲେ । ବିଜୁ ଜନତା ଦଳ ଚାଲୁଣି । ତାଙ୍କର ଲକ୍ଷେ ଭୁଲ ରହିଛି । ଅନ୍ୟ ରାଜ୍ୟରେ ଯେପରି ED ଓ CBI ଚଢ଼ାଉ କରୁଛି, ଏଠାକୁ ଆସୁନି । ଯଦି ନବୀନ ତୃତୀୟ ସମୁଖ୍ୟକୁ ଯିବେ, ତା ପରେ ED ଏବଂ CBIର ଚଢ଼ାଉ ହେବାର ଭୟ ରହୁଛି । ତେଣୁ ବିଜେପି ଓ ବିଜେଡି ଏଠି କଳି ଲାଗୁଛନ୍ତି, ସେଠି କୋଳାକୋଳି ହେଉଛନ୍ତି ।" ତେବେ ବିଜେଡି କେବେ ତୃତୀୟ ସାମୁଖ୍ୟକୁ ଯିବନାହିଁ ବୋଲି ତାରା କହିଛନ୍ତି ।