ଭୁବନେଶ୍ବର: ପିସିସି ସଭାପତି ଭାବେ ଶରତ ପଟ୍ଟନାୟକ ଦାୟିତ୍ବ ନେବାର ପ୍ରାୟ ୧୧ ମାସ ପରେ ଗତକାଲି ଘୋଷଣା ହୋଇଛି ଶରତଙ୍କ ନୂଆ ଟିମ୍ । ତେବେ ଘରେ ନପଶୁଣୁ ଚାଳରେ ମୁଣ୍ଡ ବାଜିବା ସଦୃଶ ଆରମ୍ଭରୁ ପୁଣି ଏହି ଟିମକୁ ନେଇ ଅସନ୍ତୋଷ ଜାହିର କଲେଣି ଦଳର ବରିଷ୍ଠ ଉପସଭାପତି ଭାବେ ନିଯୁକ୍ତ ବିଧାୟକ ତାରା ବାହିନୀପତି । ପ୍ରଦେଶ କଂଗ୍ରେସର ନୂଆ ପଦାଧିକାରୀ ଟିମରେ ଚୟନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଧାୟକ ତାରା ବାହିନୀପତି ।
ପିସିସି କମିଟି ଘୋଷଣା ନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, "ମତେ କି ମୋ ପରିବାର କାହାକୁ ପଦ ପଦବୀ ଆବଶ୍ୟକତା ନାହିଁ । କାହା ଦୟାରେ କଣ ଉପସଭାପତି ହେବି ? ମୋତେ ରଖିବା ପୂର୍ବରୁ ମୋ ସହ କେହି ଆଲୋଚନା କରିନାହାନ୍ତି କି କେହି ମୋତେ କହି ନାହାନ୍ତି । କାହାକୁ ପଦବୀ ପାଇଁ ଅନୁରୋଧ କରିନି । ପଦବୀ ଦେଇଥିବାରୁ ଧନ୍ୟବାଦ । ଖରାପ ହେବ ବୋଲି ପଦବୀରୁ ଇସ୍ତଫା ଦେଇନି, ଇସ୍ତଫା ଦେବି ନା ନାହିଁ ତାହା ପରେ ବିଚାର କରିବି । ମୁଁ ମୋ ନିର୍ବାଚନ ମଣ୍ଡଳୀରେ ସମୟ ଦେବାକୁ ଚାହେଁ । ଦଳ ଯେଉଁ ଦାୟିତ୍ବ ଦେବ ତାହା ପୂରଣ କରି ପାରିବିନି । ପଦ ନେଇ କାମ ନକଲେ ଅସୁନ୍ଦର । ଗୋଟିଏ ଘରୁ ୫ ଲୋକଙ୍କୁ ପଦବୀ ଦେବେ ଯଦି ଦିଅନ୍ତୁ, ବାଛି ବାଛି ଲୋକଙ୍କୁ କମିଟିରେ ସ୍ଥାନ ଦିଆଯାଇଛି । ଏମାନେ ୯ରୁ ୯୦ ଆଣିବେ ।" ତେବେ ଶରତ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ କି ବିଜୟ ପଟ୍ଟନାୟକ ହେବେ ତାହା ମୁଁ ଜାଣିନାହିଁ ବୋଲି କହିଛନ୍ତି ତାରା । ପ୍ରକାଶ ଥାଉ କି, ତାରା ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତି କୋରାପୁଟ ଜିଲ୍ଲା କଂଗ୍ରେସର ସଭାପତି ଥିଲେ । ତେବେ ତାଙ୍କୁ ଶରତଙ୍କ ଟିମରେ ନୂଆ ଦାୟିତ୍ବ ମିଳିଛି । ତାଙ୍କୁ ସାଧାରଣ ସମ୍ପାଦକ ଟିମରେ ନେଇଛନ୍ତି ଶରତ । ତେବେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ପଦ ନମିଳିବାକୁ ନେଇ ଉଭୟ ତାରା ଏବଂ ମିନାକ୍ଷୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।