ଭୁବନେଶ୍ବର: ରାଜ୍ୟରେ ଉତ୍କଟ ଚାଷୀ ସମସ୍ୟା ନେଇ ଏକାଠି ହେଉଛନ୍ତି ଚାଷୀ ସଂଗଠନ । ରାଜ୍ୟରେ କୃଷି ଓ କୃଷକର ବ୍ୟାପକ ସମସ୍ୟା ନେଇ ସରକାରଙ୍କୁ ଅବଗତ କରେଇବା ପାଇଁ ଆଜି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ନବୀନ ନିବାସ ଘେରାଓ ପାଇଁ ଉଦ୍ୟମ କରାଯାଇଥିଲା । ଏହି ସମୟରେ ପୋଲିସ ଚାଷୀମାନଙ୍କୁ କାବୁ କରିଛି । ପୋଲିସର ଏଭଳି ପଦକ୍ଷେପକୁ ନିନ୍ଦା କରିଛି କଂଗ୍ରେସ । ତୁରନ୍ତ ଚାଷୀଙ୍କ ସମସ୍ୟା ସମାଧାନ କରାଯାଉ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।
ଓଡିଶା ଏକ କୃଷି ପ୍ରବଣ ରାଜ୍ୟ । ରିପୋର୍ଟ ଆଧାରରେ ଓଡ଼ିଶାରେ ଚାଷୀର ଆୟ ଜାତୀୟସ୍ତର ଅପେକ୍ଷା କମ ରହିଛି । ଧାନ ମଣ୍ଡିରେ ଅବ୍ୟବସ୍ଥା, ଟୋକନ୍ ସମସ୍ୟା, ଅଭାବୀ ବିକ୍ରି ଏବେ ରାଜ୍ୟରେ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ଯାହା ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏଭଳି ସମୟରେ ମଣ୍ଡି ସମସ୍ୟା, କୃଷି ଉତ୍ପାଦକ ସାମଗ୍ରୀ ମୂଲ୍ୟ ବୃଦ୍ଧି, ଏମ୍ଏସ୍ପି ବୃଦ୍ଧି ଏବଂ ବିଭିନ୍ନ ଦାବି ନେଇ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଉଦ୍ୟମ କରିଥିଲା ନବନିର୍ମାଣ କୃଷକ ସଂଗଠନ । ଏହି ସମୟରେ ପୋଲିସ ସେମାନଙ୍କୁ ଅଟକାଇ ନିଜ କାବୁକୁ ନେଇଛି । ତେବେ ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବା ସହ କୃଷି ଏବଂ କୃଷକର ଉନ୍ନତି ପାଇଁ ସରକାର ଆଗେଇ ଆସନ୍ତୁ ବୋଲି କଂଗ୍ରେସ କହିଛି ।