ଭୁବନେଶ୍ବର: ରାଜ୍ୟ ରାଜନୀତିରେ ଏବେ ବଢୁଛି ଆବାସ କଳି । ଦିନକୁ ଦିନ ଅଧିକ ରୋଚକ ହେବାରେ ଲାଗିଛି ଆବାସ ହିତାଧିକାରୀ ଚୟନ ପ୍ରସଙ୍ଗ । ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟରେ ଏନେଇ ଆରୋପ ପ୍ରତ୍ୟାରୋପର ରାଜନୀତି ଘନେଇବାରେ ଲାଗିଛି । ତେବେ ବିଜେଡି ଓ ବିଜେପି କଳି ମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । କୌଣସି ଯୋଗ୍ୟ ହିତାଧିକାରୀ ବାଦ ପଡ଼ିଲେ ପରିସ୍ଥିତି ଭୟଙ୍କର ହେବ । କଂଗ୍ରେସ ତୀବ୍ର ଆନ୍ଦଳନ କରିବ ବୋଲି ଚେତାବନୀ ଦେଇଛି କଂଗ୍ରେସ ।
ଗତ 24 ତାରିଖରେ ଆବାସ ତାଲିକାରେ ଅଭିଯୋଗ ଶୁଣାଣୀର ଶେଷ ଦିବସ ରଖିଥିଲେ ସରକାର । ହେଲେ ବିରୋଧୀଙ୍କ ଅଭିଯୋଗ ଶେଷ ଦିବସ ବିଷୟରେ ବ୍ୟାପକ ପ୍ରଚାର ପ୍ରସାର ସରକାର କଲେ ନାହିଁ । ଫଳରେ ବହୁ ଯୋଗ୍ୟ ହିତାଧିକାରୀ ବାଦ ପଡିଯିବେ । ବିଜେଡି ଗତକାଲି ସାମ୍ବାଦିକ ସମ୍ମିଳନୀରେ ସିଧାସଳଖ କଥା ରଖିଲା, ଯଦି କେନ୍ଦ୍ର ସରକାର ଘର ନଦିଅନ୍ତି, ତେବେ ରାଜ୍ୟ ସରକାର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ନିଜସ୍ୱ ଖର୍ଚ୍ଚରେ ଘର ଦେବେ । ସେପଟେ ବିଜେପି ହିତାଧିକାରୀ ଚୟନ ପ୍ରକ୍ରିୟା ତ୍ରୁଟି ନେଇ 314 ବ୍ଲକରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛି । ତେବେ କଂଗ୍ରେସ ମଧ୍ୟ ଆଜି ଚରମ ବାଣୀ ଶୁଣାଇଛି । ଯଦି ଗୋଟିଏ ବି ଯୋଗ୍ୟ ହିତାଧିକାରୀ ବାଦ ପଡିଥିବେ, ତାହେଲେ ଭୟଙ୍କର ବିରୋଧ କରାଯିବ । ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।