ଓଡିଶା

odisha

ଗମାଙ୍ଗଙ୍କର ନୀତି ଆଦର୍ଶ ନାହିଁ: ସୁର

By

Published : Jan 27, 2023, 9:53 PM IST

ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ସମେତ ରାଜ୍ୟର ଅନ୍ୟକିଛି ପୂର୍ବତନ ସାଂସଦ ଓ ବିଧାୟକ ଆଜି ତେଲେଙ୍ଗାନା ଗସ୍ତ କରି ମୁଖ୍ୟମନ୍ତ୍ରୀ KCRଙ୍କତ ଉପସ୍ଥିତିରେ BRSରେ ସାମିଲ ହୋଇଛନ୍ତି । ଏନେଇ ପ୍ରତିକ୍ରିୟା ରଖି ଗିରିଧର ଗମାଙ୍ଗଙ୍କୁ କଡ଼ା ଭାଷାରେ ସମାଲୋଚନା କରିବା ସହ ତାଙ୍କର ନୀତି ଆଦର୍ଶ ନଥିବା କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢ଼ନ୍ତୁ

ଗିରିଧର ଗମାଙ୍ଗଙ୍କୁ ସମାଲୋଚନା କଲେ ସୁର
ଗିରିଧର ଗମାଙ୍ଗଙ୍କୁ ସମାଲୋଚନା କଲେ ସୁର

ଗିରିଧର ଗମାଙ୍ଗଙ୍କୁ ସମାଲୋଚନା କଲେ ସୁର

ଭୁବନେଶ୍ବର: 2024ରେ ସାଧାରଣ ନିର୍ବାଚନ ଥିବାରୁ ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି । ବିଜେପି ଏବଂ କଂଗ୍ରେସରୁ ଦୂରରେ ରହି ତୃତୀୟ ସାମୁଖ୍ୟ ଉପରେ ଭରସା କରୁଛନ୍ତି କିଛି ରାଜନୈତିକ ଦଳ । ନୂଆ ସମୀକରଣ ନେଇ ଆଶାବାଦୀ ଅନେକ ନେତା ଓ ରାଜନୈତିକ ଦଳ । ତେବେ ଆଜି ହାଇଦ୍ରାବାଦ ଯାଇ BRS (Bharat Rastriya Samiti)ରେ ଯୋଗ ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ସମେତ ଅନ୍ୟ ପୂର୍ବତନ ସାଂସଦ ଓ ବିଧାୟକ । ଏନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଗିରିଧର ଗମାଙ୍ଗଙ୍କୁ କଡ଼ା ଭାଷାରେ ସମାଲୋଚନା କରିବା ସହ ତାଙ୍କର ନୀତି ଆଦର୍ଶ ନଥିବା କହିଛନ୍ତି ସୁର ।

ଓଡ଼ିଶା ଉପରେ KCRଙ୍କ ନଜର: 2024 ନିର୍ବାଚନ ପୂର୍ବରୁ ଓଡିଶା ଉପରେ ଏବେ ବିଭିନ୍ନ ରାଜନୈତିକ ଦଳର ନଜର । ଓଡିଶାକୁ ନେଇ ଭାରତ ରାଷ୍ଟ୍ରୀୟ ସମିତି ନୂଆ ଷ୍ଟ୍ରାଟେଜି କରୁଛି । ଓଡ଼ିଶାରେ ତେଲୁଗୁ ଭୋଟ ଉପରେ BRSର ନଜର । ପ୍ରାୟ 32 ଲକ୍ଷ ତେଲୁଗୁ ସମ୍ପ୍ରଦାୟର ଭୋଟର ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବସବାସ କରନ୍ତି । କୋରାପୁଟ, ରାୟଗଡା, ମାଲକାନଗିରି, ନବରଙ୍ଗପୁର ଏବଂ କିଛି ପଡୋଶୀ ଜିଲ୍ଲାରେ ତେଲୁଗୁ ଭୋଟର ରହିଛନ୍ତି । ଚାଷୀ ସଂଗଠନ ଉପରେ ମଧ୍ୟ BRSର ନଜର ରହିଛି । ଚାଷୀ ନେତାଙ୍କୁ ଏକାଠି କରି ଓଡ଼ିଶାରେ କେସିଆର ନିଜର ଇନିଂସ ଅରମ୍ଭ କରିବେ ବୋଲି ଶୁଣିବାକୁ ମିଳୁଛି ।

ଗିରିଧର ଗମାଙ୍ଗଙ୍କୁ ସୁରଙ୍କ ସମାଲୋଚନା: ଆଜି ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ତେଲେଙ୍ଗାନା ଗସ୍ତ କରି ବିଧିବଦ୍ଧ ଭାବେ BRSରେ ଯୋଗ ଦେଇଛନ୍ତି ଗିରିଧର ଗମାଙ୍ଗ, ଶିଶିର ଗମାଙ୍ଗ, ହେମା ଗମାଙ୍ଗ, ପୂର୍ବତନ ବିଧାୟକ ନବୀନ ନନ୍ଦ, ପୂର୍ବତନ ସାଂସଦ ଜୟରାମ ପାଙ୍ଗି, ରାମଚନ୍ଦ୍ର ହଂସଦା, ନବନିର୍ମାଣ ସଂଗଠନ ପକ୍ଷରୁ ଚାଷୀ ନେତା ଅକ୍ଷୟ କୁମାର, ଶେଷଦେବ ନନ୍ଦ ଏବଂ ଅନ୍ୟ କିଛି ନେତା । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । BRSର କୌଣସି ପ୍ରଭାବ ଦକ୍ଷିଣ କିମ୍ବା ପଶ୍ଚିମ ଓଡିଶା ଉପରେ ପଡିବ ନାହିଁ ବୋଲି କହିଛନ୍ତି ସୁର । ଏହାସହ ଗିରିଧରଙ୍କ ଉପରେ ମଧ୍ୟ ଖୁବ ବର୍ଷିଛନ୍ତି । ଗିରିଧାରୀଙ୍କ ନୀତି କିମ୍ବା ଆଦର୍ଶ ନାହିଁ କି ଲୋକଙ୍କ ସେବା ନାହିଁ ବୋଲି ସେ କହିଛନ୍ତି । କଂଗ୍ରେସରୁ ତାଙ୍କ ପରିଚୟ, କଂଗ୍ରେସରେ 7 ଥର ସାଂସଦ, କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ହୋଇଥିଲେ । ଯେବେ କଂଗ୍ରେସ ଛାଡିଲେ ତାଙ୍କର ଆଉ ଅସ୍ତିତ୍ବ ନାହିଁ କିମ୍ବା ତାଙ୍କ ସହ ଭୋଟର ନାହାନ୍ତି ବୋଲି କହି ସୁର କଡ଼ା ଭାଷାରେ ସମାଲୋଚନା କରିଛନ୍ତି ।

"ଅନ୍ୟ କୌଣସି ଦଳ ଓଡ଼ିଶାରେ ତିଷ୍ଠି ପାରିବ ନାହିଁ": ଗିରିଧର ଗମାଙ୍ଗ BRSରେ ଯୋଗଦେବା ନେଇ ସୁର କହିଛନ୍ତି, "କଂଗ୍ରେସରେ କୌଣସି ଫରକ ପଡିବନାହିଁ । କଂଗ୍ରେସ ଭୋଟ କଂଗ୍ରେସ ସହ ରହିଛି । ଓଡ଼ିଶାରେ ବିଜେଡି, ବିଜେପି ଏବଂ କଂଗ୍ରେସ ଦଳର ସ୍ଥିତି ରହିଛି । ଅନ୍ୟ କୌଣସି ଦଳ ଓଡ଼ିଶାରେ ତିଷ୍ଠି ପାରିବ ନାହିଁ । କଂଗ୍ରେସ ଅନ୍ୟ କୌଣସି ଦଳ ସହ ନାହିଁ । ବିଜେଡି ସହ କଂଗ୍ରେସର ଲଢେଇ ହେବ ।" ତେବେ କିଛିଦିନ ତଳେ BRS ମୁଖ୍ୟ କେ. ଚନ୍ଦ୍ରଶେଖର ରାଓଙ୍କୁ ଭେଟିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଏବଂ ତାଙ୍କ ପୁଅ ଶିଶିର ଗମାଙ୍ଗ । ପରେ ଆସି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିରୁ ଇସ୍ତଫା ଦେଇଥିଲେ । ପୂର୍ବରୁ କେସିଆରଙ୍କ ସହ ଦକ୍ଷିଣ ଓଡ଼ିଶାର ଟାଣୁଆ ନେତା ଜୟରାମ ପାଙ୍ଗି ମଧ୍ୟ ସାକ୍ଷାତ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details