ଭୁବନେଶ୍ବର: ରାଜ୍ୟରେ ତେଜୁଛି ଆନ୍ଦୋଳନାତ୍ମକ ରାଜନୀତି । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ରାଜନୈତିକ ଦଳ ଗୁଡ଼ିକ ଲୋକଙ୍କ ନିକଟତର ହେବାକୁ ଲାଗିଛନ୍ତି । ଏଥିପାଇଁ କାଦୁଅ ଫିଙ୍ଗା ରାଜନୀତି ଏବେ ଜୋରଦାର ହୋଇଛି । ଲୋକଙ୍କ ଫାଇଦା ଆଳରେ ପରସ୍ପରକୁ ଦୋଷାରୋପ କରିବାକୁ ଆକ୍ସନ ପ୍ଲାନ ପ୍ରସ୍ତୁତ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଉଭୟ ବିଜେପି ଓ ବିଜେଡି । ତେବେ କଂଗ୍ରେସ ମଧ୍ୟ ଆଗାମୀ ଦିନରେ ବଡ଼ ବିପ୍ଳବ କରିବାକୁ ଚିନ୍ତା କରୁଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।
ରାଜ୍ୟରେ ଏବେ ଆନ୍ଦୋଳନାତ୍ମକ ରାଜନୀତି ତେଜିବାରେ ଲାଗିଛି । ବିଭିନ୍ନ ଦାବି ନେଇ ରାଜ୍ୟ ସରକାରଙ୍କୁ ଘେରୁଛନ୍ତି ବିରୋଧୀ । କେତେବେଳେ ଆବାସ ଯୋଜନା ତ ଆଉ କେତେବେଳେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତି ନେଇ ଶାସକ ଦଳକୁ କାଠଗଡ଼ାରେ ଛିଡ଼ା କରୁଛନ୍ତି ବିରୋଧି । ମଙ୍ଗଳବାର ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପି ପକ୍ଷରୁ ଭୁବନେଶ୍ବରରେ ହରତାଳ ଆରମ୍ଭ କରାଯାଇଛି । ସେହିପରି ଶାସକ ଦଳ ମଧ୍ୟ ଚାଉଳକୁ ପ୍ରସଙ୍ଗ କରି କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜନ କରିଛି । ତେବେ ଏହି ଆନ୍ଦୋଳନ ଆଗାମୀ ଦିନରେ ଆହୁରି ଅଧିକ ଶାଣିତ ହେବ ବୋଲି ଉଭୟ ଶାସକ ଓ ବିରୋଧୀ ମତ ରଖିଛନ୍ତି ।