ଭୁବନେଶ୍ବର: ସାରା ରାଜ୍ୟରେ ବର୍ଷା ବିତ୍ପାତ ଜାରି ରହିଛି । ଲଗାଣ ବର୍ଷାରେ ବିଭିନ୍ନ ଜିଲ୍ଲାରେ ଏବେ ଏକ ପ୍ରକାର ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ଏଥିରୁ ବାଦ ପଡ଼ିନି ରାଜଧାନୀ ଭୁବନେଶ୍ବର । ଉପରମୁଣ୍ଡରେ ଲଘୁଚାପଜନିତ ପ୍ରବଳ ବର୍ଷା କାରଣରୁ ତଳ ମୁଣ୍ଡରେ ଜଳ ସମୁଦ୍ର ପାଲଟିଛି । ଗତ ଦୁଇଦିନ ହେବ ପ୍ରବଳ ବର୍ଷାରେ ବେହାଲ ହୋଇଛି ସ୍ମାର୍ଟସିଟି ଭୁବନେଶ୍ବର । ତେବେ ତୁରନ୍ତ ଜଳବନ୍ଦୀ ସମସ୍ୟାର ଉପଯୁକ୍ତ ବିକଳ୍ପ ବ୍ୟବସ୍ଥା ନକଲେ ଲୋକସେବା ଭବନ ଘେରିବ କଂଗ୍ରେସ । ଗତକାଲି(ବୁଧବାର) ଏଭଳି ଚରମ ବାଣୀ ଶୁଣାଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।
ସ୍ମାର୍ଟସିଟି ଭୁବନେଶ୍ବରରେ ଅସରାଏ ବର୍ଷା ହେଲେ ପାଣି ଜମି କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହେଉଛି । ଜଳ ନିଷ୍କାସନ ରାଜ୍ୟ ସରକାର ଏବଂ ବିଏମସି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସ୍ଥିତି ଏଭଳି ସଙ୍ଗୀନ ହେଉଛି ଯେ, ଜଳମଗ୍ନ ରାଜଧାନୀରେ ଘରୁ ବାହାରିବା କାଠିକର ପାଠ ହୋଇଯାଉଛି । ଖାଲି ଭୁବନେଶ୍ବର ନୁହେଁ, ରାଜ୍ୟର ସମସ୍ତ ମହାନଗର ନିଗମ ଓ ପୌରାଞ୍ଚଳ ଗୁଡ଼ିକରେ ଡ୍ରେନେଜ ବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ । ସହରାଞ୍ଚଳରେ ଜଳ ନିଷ୍କାସନ ସମସ୍ୟା ଏବେ ଅତ୍ୟନ୍ତ ଚିନ୍ତାଜନକ । ବିଏମ୍ସି, ସ୍ମାର୍ଟସିଟି, ବିଡିଏ ପକ୍ଷରୁ ଭୁବନେଶ୍ବରରେ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି । ହେଲେ ସ୍ଥିତି ଯଥା ପୂର୍ବଂ, ତଥା ପରଂ ।
ଅବସ୍ଥା ସୁଧୁରିବା ପରିବର୍ତ୍ତେ ଧିରେଧିରେ ସଙ୍ଗୀନ ହେଉଛି । ଭୁବନେଶ୍ବରବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୨୦୧୯ରେ ଭୁବନେଶ୍ବର ଡ୍ରେନେଜ ସମସ୍ୟା ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ୧୦୦୦ କୋଟି ଦେଇଥିଲେ । ଟଙ୍କା ଖର୍ଚ୍ଚ ହେଲା, ହେଲେ ଡ୍ରେନେଜ ଅବସ୍ଥାରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିଲା ନାହିଁ । ଯାହାର ଜ୍ବଳନ୍ତ ଉଦାହରଣ ହେଉଛି ଜଳମଗ୍ନ ଭୁବନେଶ୍ବର । ଆଗରୁ ଯେମିତି ଥିଲା ସେହିଭଳି ରହିଗଲା । ବର୍ଷା ଦିନ ଆସିଲେ ଭୁବନେଶ୍ବରବାସୀଙ୍କ ଜଳବନ୍ଦୀ ସମସ୍ୟା ପାଇଁ ଛାତିରେ ଛନକା ପଶୁଛି ।