ଭୁବନେଶ୍ବର: ସରଗରମ ହେଉଛି ଝାରସୁଗୁଡା ଫାଇଟ । ଉପନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି, ଝାରସୁଗୁଡା ରାଜନୀତିରେ ସେତିକି ଉଷ୍ମତା ଭରୁଛି । ଭୋଟରଙ୍କ ମୁଡ ଜିତିବାକୁ ଲାଗିପଡିଛନ୍ତି ବିଭିନ୍ନ ରାଜନୈତିକ ଦଳ । ବିଶେଷକରି ନବ ଦାସଙ୍କ ହତ୍ୟାକାଣ୍ଡ ପରେ ବିଜେଡି ଏହି ସିଟକୁ ପୁଣି ଅକ୍ତିଆର କରିବାକୁ ଅଣ୍ଟା ଭିଡ଼ିଛି । ବିଜେପି ମଧ୍ୟ ରଣନୀତିକୁ ଶାଣିତ କରୁଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ବିରୋଧୀ ମୁଖ୍ୟ ପ୍ରସଙ୍ଗ କରି ଭୋଟରଙ୍କ ପାଖକୁ ଯାଉଛନ୍ତି । ନବ ଦାସଙ୍କ ହତ୍ୟା ଓ ଜଣେ ନାବାଳକ ହତ୍ୟା ପରେ ଝାରସୁଗୁଡାରେ ଶାନ୍ତି ଫେରାଇବାକୁ ପ୍ରୟାସ ଜାରି ରଖିଛନ୍ତି ସରକାର । ବିଜେପି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଝାରସୁଗୁଡାରେ ଶାନ୍ତିର ବାତାବରଣ ଆବଶ୍ୟକ ରହିଛି ବୋଲି କହିଛନ୍ତି । ସେପଟେ କଂଗ୍ରେସ କହିଛି, ନା ବିଜେଡି ନା ବିଜେପି, ଝାରସୁଗୁଡାରେ ଶାନ୍ତି ଫେରାଇବାର ବିକଳ୍ପ ହେଉଛି କେବଳ କଂଗ୍ରେସ ।
ତେବେ ଝାରସୁଗୁଡା ଉପନିର୍ବାଚନ ପାଇଁ ମାହୋଲ ଭଲ ରହିଛି ବୋଲି ଗଣମାଧ୍ୟମକୁ କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ସେ କହିଛନ୍ତି, "କଂଗ୍ରେସ ଦଳ ବିଜୟୀ ହେଲେ ହିଁ ଝାଡ଼ସୁଗୁଡାରେ ଶାନ୍ତି ଫେରି ପାରିବ । ଜନସାଧାରଣ ସ୍ଥାନୀୟ ପ୍ରାର୍ଥୀଙ୍କୁ ଅଧିକ ପସନ୍ଦ କରୁଛନ୍ତି । କଂଗ୍ରେସ ବୀରେନ୍ଦ୍ର ପାଣ୍ଡେଙ୍କ ପୁଅଙ୍କୁ ଟିକେଟ ଦେଇଛି । ସିଏ ସେହି ଅଞ୍ଚଳର ଲୋକାଲ ବ୍ୟକ୍ତି । ବିଜେଡି ଓ ବିଜେପିର ପ୍ରାର୍ଥୀ ଝାରସୁଗୁଡା ବାସିନ୍ଦା ନୁହନ୍ତି । ତେଣୁ ସାଧାରଣ ଜନତା କଂଗ୍ରେସକୁ ଭୋଟ ଦେବାକୁ ପସନ୍ଦ କରିବେ । ବିଜେଡି ସର୍ବଦା ଧନବଳ, ବାହୁବଳ ଓ ସରକାରୀ କଳ ଲଗାଇ ନିର୍ବାଚନ ଜିତିବା ପାଇଁ ଚେଷ୍ଟା କରେ । ମନ୍ତ୍ରୀ ନବ ଦାସଙ୍କ ହତ୍ୟା ହେଲା, ଜଣେ ୧୫ ବର୍ଷୀୟ ଯୁବକଙ୍କୁ ହତ୍ୟା କରାଗଲା । ଏହା ଫଳରେ ଝାରସୁଗୁଡା ଅଶାନ୍ତ ହୋଇଯାଇଛି ।" କଂଗ୍ରେସ ଦଳ ବିଜୟୀ ହେଲେ ହିଁ ଝାରସୁଗୁଡା ଶାନ୍ତି ଫେରିପାଇବ ବୋଲି ସାଲୁଜା କହିଛନ୍ତି ।