ଭୁବନେଶ୍ବର: ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ କ୍ଷମତା ହାତେଇବା ନେଇ ଲାଗିପଡିଛନ୍ତି ପ୍ରମୁଖ ରାଜନୈତିକ ଦଳ । ଶାସକ ବିଜେଡି ନିଜର କାୟା ବିସ୍ତାର କରି ପୁଣି ରାଜ୍ୟରେ ଲୋକମତ ହାସଲ କରି ଶାସନକୁ ହାତମୁଠାକୁ ନେବାକୁ ପ୍ରାଣପଣେ ଉଦ୍ୟମ ଆରମ୍ଭ କରିଛି । ବିରୋଧି ବିଜେପି ମଧ୍ୟ ମୋଦି ସରକାରଙ୍କ ସଫଳତାକୁ ନେଇ ରାଜ୍ୟରେ କ୍ଷମତା ହାସଲ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି । କଂଗ୍ରେସ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ଦଳରେ ସାମିଲ କରି ସରକାରଙ୍କୁ ଟାର୍ଗେଟ କରିବା ସହ ଲୋକଙ୍କ ଆସ୍ଥାଭାଜନ ହେବାକୁ ପ୍ରୟାସ ଆରମ୍ଭ କରିଛି । ଏଭଳି ସ୍ଥିତିରେ ପଶ୍ଚିମ ଓଡ଼ିଶାରେ ନବଙ୍କ ବିକଳ୍ପ କିଏ ହେବ, ତାହା ବିଜେଡି ସୁପ୍ରିମୋଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାକୁ ଅବହେଳା କରିଥିବାରୁ ଆସନ୍ତା ନିର୍ବାଚନରେ ଏଠାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।
ନବ ଦାସଙ୍କ ମୃତ୍ୟୁ ପରେ ପଶ୍ଚିମ ଓଡିଶାରେ ତାଙ୍କ ଶୂନ୍ୟସ୍ଥାନ କିଏ ପୂରଣ କରିବ, ସେନେଇ ଏବେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । ନବ ସାରା ପଶ୍ଚିମ ଓଡ଼ିଶାରେ ନିଜର ସାଙ୍ଗଠନିକ ଦକ୍ଷତା ପ୍ରତିପାଦନ କରିଥିଲେ । ପଦ୍ମପୁର ଉପନିର୍ବାଚନ ବିଜେଡିକୁ ପୂର୍ଣ୍ଣ ସଂଖ୍ୟାରେ ବାଜିମାତ କରିବାରେ ନବ ଦାସଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା । ପଶ୍ଚିମ ଓଡ଼ିଶାର ୫ଟି ସଂସଦୀୟ କ୍ଷେତ୍ର ଓ ୩୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଉପରେ ନବ ଦାସଙ୍କ ଭଲ ଦଖଲ ଏବଂ ଗ୍ରହଣୀୟତା ଥିଲା । ସୁଶାନ୍ତ ସିଂହଙ୍କ ପରେ ନବ ବିଜେଡି ପାଇଁ ଏକ ବଡ଼ ଭରସା ଏବଂ ଦକ୍ଷ ନେତା ଭାବେ ନିଜକୁ ପ୍ରମାଣ କରିଥିଲେ । ତେବେ ଏଠି ନବ ଦାସଙ୍କ ଅବର୍ତ୍ତମାନରେ ପଶ୍ଚିମ ଓଡ଼ିଶାରେ କିଏ ପ୍ରଭାବୀ ନେତା ହେବେ, ତାହା ଶାସକ ଦଳର ହାଇ କମାଣ୍ଡଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।