ଭୁବନେଶ୍ବର:ରାଜ୍ୟରେ ଧାନ କିଣା ଅବ୍ୟବସ୍ଥାକୁ ନେଇ ଷ୍ଟାଣ୍ଡି କମିଟି ବୈଠକରେ ଉଦବେଗ ପ୍ରକାଶ ପାଇଛି । କମିଟିର ଅଧକ୍ଷ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଧାନ କିଣା ପ୍ରସଙ୍ଗରେ ସରଗରମ ଆଲୋଚନା ହୋଇଛି । ଅବ୍ୟବସ୍ଥାକୁ ନେଇ ବୈଠକରେ ବିଭାଗୀୟ ଅଧିକାରୀଙ୍କ ଉପରେ ବର୍ଷିଛନ୍ତି ବିଧାୟକ ନରସିଂହ ମିଶ୍ର । ରାଜ୍ୟରେ ଧାନ କିଣାରେ ମହାଦୁର୍ନୀତି ହେଉଛି ଅସାଧୁ ବ୍ୟବସାୟୀଙ୍କ ସହ ସରକାରଙ୍କ ସାଣ୍ଟ ଘାଣ୍ଟ ଚାଲିଛି ବୋଲି କହିଛନ୍ତି ବିଧାୟକ ।
ବୈଠକ ପରେ ପ୍ରତିକ୍ରିୟା ରଖି କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ଧାନ କିଣାରେ ଦୁର୍ନୀତି ହେଉଛି । ମହାଦୁର୍ନୀତି ହେଉଛି । ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ହେଉଛି । ପ୍ରତ୍ୟେକ ଦିନ ଅଭାବୀ ବିକ୍ରି ଶୁଣିବାକୁ ପାଉଛୁ । ଚାଷୀ ଯାହା ଉତ୍ପାଦନ କରୁଛି ତାହାର ମୂଲ୍ୟ ପାଉ ନାହାଁନ୍ତି । ଉଚିତ ମୂଲ୍ୟ ପାଇବାରୁ ଚାଷୀ ବଞ୍ଚିତ ହେଉଛି । କେନ୍ଦ୍ରୀୟ ଆଇନ ଅଛି, ଚାଷୀ ଯଦି ସର୍ବନିମ୍ନ ସହାୟକ ମୂଲ୍ୟରେ ବିକ୍ରୀ କରିପାରିବ ନାହିଁ, ତାହାର ଉତ୍ପାଦିତ ଦ୍ରବ୍ଯ ବିଶେଷ କରି ଧାନ ଏଫସିଆଇ କ୍ରୟ କରିବ । 2003/04 ରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇ ସାରିଛନ୍ତି । କିନ୍ତୁ ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କ ସହ ଚୁକ୍ତି କରିଛନ୍ତି, ଯାହା ଆଇନର ବିରୁଦ୍ଧାଚରଣ କରୁଛି । ସେହି ଚୁକ୍ତି ଅନୁସାରେ ଧାନ ରାଜ୍ୟ କିଣୁଛି । କେନ୍ଦ୍ର ସରକାର ଆମର ଧାନ ଓ ଚାଉଳ କିଣୁନାହାନ୍ତି । କେନ୍ଦ୍ର ସରକାର ଦେଉନାହାନ୍ତି ବୋଲି ସୋସାଇଟିକୁ ପ୍ରାପ୍ୟ ଦେଇପାରୁନାହୁଁ ବୋଲି କହୁଛନ୍ତି । ତଳଠୁ ଉପର ପର୍ଯ୍ୟନ୍ତ ସମସ୍ତେ ପଇସା ଖାଉଛନ୍ତି ।''
ସେ ଆହୁରି କହିଛନ୍ତି, ଚାଷୀ ଯାହା ଧାନ ଉତ୍ପାଦନ କରୁଛି ତାହା ସରକାର କିଣୁ ବୋଲି କମିଟି କହିଛି । ଅସାଧୁ ବ୍ୟବସାୟୀକୁ ଧାନ ବିକିବା ପାଇଁ ଚାଷୀକୁ ବାଧ୍ୟ କରୁଛନ୍ତି । ଅସାଧୁ ବ୍ୟବସାୟୀଙ୍କ ସହ ସରକାରଙ୍କ ସାଣ୍ଟ ଘାଣ୍ଟ ଚାଲିଛି । ଏହି ଶବ୍ଦ ହାଇକୋର୍ଟ ବ୍ୟବହାର କରିଥିଲେ । ଏହାକୁ ବନ୍ଦ କାରିବାକୁ ଆମେ ଉପଦେଶ ଦେଇଥିଲୁ । କମିଟି ସବୁ ମଣ୍ଡିରେ ସିସି ଟିଭି ଲଗେଇବାକୁ କହିଥିଲା କିନ୍ତୁ ସରକାର ତାହା କରୁ ନାହାନ୍ତି । ଅଧାରେ ଲାଗିଛି, ଅଧାରେ ଲାଗିନାହିଁ । ଯେଉଁଠି ଲାଗିଥିଲା ତାକୁ ଅଚଳ କରି ଦିଆଯାଇଛି । କମିଟି ଜିଲ୍ଲା ଗସ୍ତ ବେଳେ ତାହା ଦେଖିବାକୁ ପାଇଛି । ଯେତିକି ଦାମରେ କିଣିବା କଥା କିଣୁ ନାହାନ୍ତି । କିମିଟି ପକ୍ଷରୁ ଆଜି ବିଭାଗକୁ ତାଗିଦ କରାଯାଇଛି । ଚାଷୀକୁ ଶୋଷଣ କର ନାହିଁ । ଉପଯୁକ୍ତ ଦେୟ ଦିଅ ।''