ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ । ବିଜେଡି କାର୍ଯ୍ୟକାରିଣୀ ଜରିଆରେ ସଂଗଠନକୁ ସକ୍ରିୟ କରିବା ସହ ନେତାଙ୍କୁ ବୁଷ୍ଟ୍ କରୁଛି । ବିଜେପିର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଓ ରାଜ୍ୟ ସଭାପତି ମନମୋହନ ସାମଲ ଦଳ ବିଜୟର ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ହେଲେ କଂଗ୍ରେସ ପ୍ରସ୍ତୁତିରେ ପଛରେ ପଡ଼ିଥିବା ଦେଖାଯାଉଥିଲେ ବି ଦଳ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଥିବା କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଛନ୍ତି ।
ଆସନ୍ତା ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରି ଓଡ଼ିଶାରେ ସରକାର ଗଢ଼ିବ ବୋଲି ବିଜେପି ନେତା କହୁଛନ୍ତି । ସରକାର ଗଢ଼ିବା ପାଇଁ ଯାହାସବୁ କାର୍ଯ୍ୟକ୍ରମ କରିବା କଥା ତାହା ଦଳ କରୁଛି । ତେଣୁ ଦଳକୁ ବଡ଼ ସଫଳତା ମିଳିବ ବୋଲି ବିଜେପି ନେତା ଦାବି କରୁଛନ୍ତି । ଦଳର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଓ ରାଜ୍ୟ ସଭାପତି ମନମୋହନ ଦଳ ବିଜୟର ବ୍ଲ୍ୟୁ-ପ୍ରିଣ୍ଟ୍ ପ୍ରସ୍ତୁତ କରୁଛନ୍ତି । ଗୌହାଟୀ କାର୍ଯ୍ୟକ୍ରମ ପରେ ଏବେ ଭୁବନେଶ୍ବରରେ ମଧ୍ୟ ଦୁଇ ଦିନ ହେଲା ବିଭିନ୍ନ ବୈଠକ ଓ ଆଲୋଚନା ଜାରି ରହିଛି । ଦଳ କିପରି ସରକାରକୁ ଆସିବ ସେନେଇ ରଣନୀତି ପ୍ରସ୍ତୁତ କରାଯାଉଥିବା ବିଜେପି ପକ୍ଷରୁ କୁହାଯାଇଛି । କିନ୍ତୁ ବିଜେପି ଦାବିକୁ ଗ୍ରହଣ କରିନାହାନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ।
ମୋକିମ କହିଛନ୍ତି, "ଓଡ଼ିଶାର ସାଧାରଣ ଜନତା ବିଜେପିକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି । ୨୦୧୪ ଓ ୨୦୧୯ ନିର୍ବାଚନରେ ପ୍ରତିଫଳିତ ହୋଇଛି । ନରେନ୍ଦ୍ର ମୋଦିଙ୍କ ପ୍ରଭାବରେ କିଞ୍ଚିତ ସେ ଜିତିଥିଲେ । ଗତ ୫ ବର୍ଷରେ ବିଜେପି ପାଦ ତଳୁ ମାଟି ଖସିଯାଇଛି । ଯାହା ପ୍ରଚେଷ୍ଟା କଲେ ମଧ୍ୟ ଓଡ଼ିଶାରେ କେବେ ଏକ ସାମ୍ପ୍ରଦାୟିକ ଦଳକୁ ଲୋକେ ଗ୍ରହଣ କରିବେ ନାହିଁ । କଂଗ୍ରେସର ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି । କଂଗ୍ରେସ ନିର୍ବାଚନ ପାଇଁ ପ୍ରସ୍ତୁତି ହେଉଛି । ଅନ୍ୟମାନେ ଟିଭି ମିଡିଆ ମାଧ୍ୟମରେ ସୋ' କରୁଛନ୍ତି । ଆମର ଗ୍ରାଉଣ୍ଡ୍ ଓ ନିର୍ବାଚନମଣ୍ଡଳୀସ୍ତରରେ କାମ ଚାଲିଛି । ଅକସ୍ମାତ ଆପଣ ଦେଖିବେ କଂଗ୍ରେସ ଆଗାମୀ ନିର୍ବାଚନରେ ଏପରି ଭାବେ ବାହାରିବ, ବିଶ୍ବାସ କରିପାରିବେନି କି ଏପରି ପରିବର୍ତ୍ତନ କେମିତି ହେଲା ।"