ଭୁବନେଶ୍ବର: ନିକଟରେ କଂଗ୍ରେସର ବିଦ୍ରୋହୀ ବିଧାୟକ ମହମ୍ମଦ ମୋକିମଙ୍କ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କଂଗ୍ରେସକୁ କଡ଼ା ସମାଲୋଚନା କରିଥିଲେ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ବାଳ । ଦଳରେ ବର୍ତ୍ତମାନ ୯ ବିଧାୟକ ଓ ୨୦ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରହିଥିବା ଖୋଲାମଞ୍ଚରେ କହି ସେ ନିଜ ଦଳକୁ କଟାକ୍ଷ କରିଥିଲେ । ସେପଟେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ କଂଗ୍ରେସର ସମସ୍ତ ୯ ବିଧାୟକ ଏବେ ବିଜେଡି ସହ ଯୋଗାଯୋଗରେ ରହିଛନ୍ତି । ତେବେ ଏହି ସମସ୍ତ ଟିପ୍ପଣୀକୁ ଖଣ୍ଡନ କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ଦଳ ଭିତରେ ମତଭେଦ ରହିଛି ଓ ଏହାକୁ ଦୂର କରିବା ପାଇଁ ସେ ନିଜ ଆଡ଼ୁ ଏଆଇସିସିକୁ ଚିଠି ଲେଖିବେ ବୋଲି କହିଛନ୍ତି ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ତାରା କହିଛନ୍ତି, "କଂଗ୍ରେସର ୯ ଜଣ ବିଧାୟକ ବିଜେଡିରେ ମିଶିବା ସମ୍ପୂର୍ଣ୍ଣ ଭୁଲ୍ କଥା । ଭାଲୁ ବାହୀନିପତି ରୟାଲ ଟାଇଗର, କେବେ କେଉଁ ଦଳକୁ ଯିବନାହିଁ । ମୁଁ କୁକୁର ନୁହେଁ, ମୁଁ ବାଘ । ଖାଇବାକୁ ନପାଇ ମରିଯିବି ପଛେ ଘାସ ଖାଇବି ନାହିଁ । ଦଳ ଭିତରେ ମତପାର୍ଥକ୍ୟ ଅଛି, କାହାର କାହ ସହ ପଡୁନାହିଁ । ଦଳରେ ଆଭ୍ୟନ୍ତରୀଣ କନ୍ଦଳ ଲାଗି ରହିଛି । ୨୦ ମୁଖ୍ୟମନ୍ତ୍ରୀ ନୁହେଁ ଜଣେ ମୁଖ୍ୟମନ୍ତ୍ରୀ ହେବେ । ଶରତ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବା ବିଜୟ ପଟ୍ଟନାୟକ ହୁଅନ୍ତୁ, ମୋର କିଛି କହିବାର ନାହିଁ । ମୁଁ କହୁଛି ଏଥର ୯ରୁ ୯୦ ହେବ । ଲୋକମାନେ କଂଗ୍ରେସକୁ ଭୋଟ ଦେବେ । ମୁଁ ନିଜ ଆଡୁ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିବି । ଗୋଷ୍ଠୀ ବିବାଦ ସମାଧାନ ନହେଲେ ଦଳ କ୍ଷତିରେ ପଡିବୁ ।"