ଭୁବନେଶ୍ବର:କଂଗ୍ରେସର ହାଇକମାଣ୍ଡ ଭାବରେ ନିର୍ବାଚିତ ହୋଇଛନ୍ତି ମଲ୍ଲିକାର୍ଜୁନ ଖଡ୍ଗେ । କଂଗ୍ରେସ ସଭାପତି ନିର୍ବାଚନରେ ଖଡ୍ଗେ ବାଜିମାତ୍ କରିଛନ୍ତି । ମୋଟ ୯,୩୮୫ ଭୋଟରୁ ୭,୮୯୭ ଖଣ୍ଡ ଭୋଟ ସହ ସେ ପ୍ରତିଦ୍ବନ୍ଦୀ ଶଶି ଥରୁରଙ୍କ ହରାଇ ନିର୍ବାଚନ ଜିତିଛନ୍ତି । ଥରୁରଙ୍କୁ ମାତ୍ର ୧,୦୭୨ ଭୋଟ ମିଳିଛି । ବାକି ୪୧୬ ଭୋଟ ନାକଚ ହୋଇଯାଇଥିଲା । ଏହାସହିତ ପ୍ରାୟ ୨୪ ବର୍ଷ ପରେ ଦେଶର ସର୍ବପୁରାତନ ଜାତୀୟ ଦଳକୁ ଅଣଗାନ୍ଧୀ ସଭାପତି ମିଳିଛି । କଂଗ୍ରେସ ନେତା ପ୍ରମୋଦ ତିୱାରୀଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ସଭାପତି ନିର୍ବାଚନ ଫଳାଫଳ ଘୋଷଣା ପରେ ଦିଲ୍ଲୀ ସ୍ଥିତି AICC କାର୍ଯ୍ୟାଳୟରେ ଉତ୍ସବର ମାହୋଲ ରହିଥିଲା । ଖଡ୍ଗେ ହାଇକମାଣ୍ଡ ନିର୍ବାଚିତ ହେବାପରେ ପ୍ରଦେଶ କଂଗ୍ରେସରେ ନୂଆ ଜୋଶ ଦେଖିବାକୁ ମିଲିଛି । ତାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।
ଏହାକୁ ନେଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି, "ବ୍ଲକ ସ୍ତରରୁ କଂଗ୍ରେସର ସଭାପତି ଦାୟିତ୍ବ ନେବା ପରେ 9 ଥର ସେ ନିର୍ବାଚନରେ ବିଜୟୀ ହୋଇଛନ୍ତି ମଲ୍ଲିକାର୍ଜୁନ ଖଡଗେ । ଦୁଇଥର କର୍ଣ୍ଣାଟକ ପ୍ରଦେଶ କଂଗ୍ରେସର ସଭାପତି ଦାୟିତ୍ବରେ ମଧ୍ୟ ରହିଥିଲେ । ଦୁଇଥର ସେ ଲୋକସଭାରେ ବିରୋଧୀ ଦଳର ନେତା ଦାୟିତ୍ବରେ ଥିଲେ । କାଲି ଜିତୁଜିତୁ ସାରା ଦେଶ କମ୍ପିଛି । ସେ ଜଣେ ସୁସଂଗଠକ । ଏଥିପାଇଁ ସେ ନିର୍ବାଚିତ ହୋଇଛନ୍ତି । ପ୍ରତ୍ୟେକ ପ୍ରଦେଶ କଂଗ୍ରେସରେ ଏହାକୁ ନେଇ ଉତ୍ସାହର ମାହୋଲ ରହିଥିଲା ।"